ଭାରତର ଦମଦାର୍ ବିଜୟ, ପାକିସ୍ତାନ ୭ ଓ୍ବିକେଟରେ ପରାସ୍ତ…

12

ଅହମଦାବାଦ : ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।
ଏହି ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଭାରତ ୪୩ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

nis-ad
Leave A Reply

Your email address will not be published.