୨ବର୍ଷରେ ଦୁଇ ଥର ହେଲା ରାସ୍ତା ନିର୍ମାଣ : ‘କଂକ୍ରିଟ୍ ଉପରେ ପେଭର୍’ : ଠିକାଦାରଙ୍କୁ ପୋଷିବା ପାଇଁ ଅଲିଖିତ ଚୁକ୍ତିରେ ଚାଲିଛି କି ବ୍ୟବସ୍ଥା !!

ମାଲକାନଗିରି/ବାଲିମେଳା (୦୮/୧୦) : ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା, ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ହୋଇଥିବା ଯୋଜନା । ସହରାଞ୍ଚଳରେ ବେକାର ରହୁଥିବା ଶ୍ରମିକ ମାନଙ୍କ ନିମନ୍ତେ ୫T ଅଧୀନରେ ଅନେକ ନିର୍ମାଣ ଓ ଉନ୍ନତିମୂଳକ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଉନ୍ନତି ଓ ବିକାଶର ପରିଭାଷା ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ନା ଠିକାଦାର ତଥା ଯନ୍ତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ତାହା ବର୍ତ୍ତମାନ ପ୍ରଶ୍ନ ଘେରକୁ ଆସିଛି । ୫T ଭିତରୁ କେଉଁ ଆଡ଼େ ଉଭେଇ ଯାଇଛି ସ୍ବଚ୍ଛତା। ଦିନ ଦ୍ବିପହରରେ ଆଖିରେ ଆଙ୍ଗୁଠି ଭର୍ତ୍ତି କରି ବିକାଶର ତାରକା ଚିହ୍ନଟ କରାଇବାରେ ବ୍ୟସ୍ତ ବ୍ୟବସ୍ଥା, ଅନ୍ଧ ଧୃତରାଷ୍ଟ୍ର ପ୍ରଶାସନ, ରାହୁ ପୁଞ୍ଜିପତି ଠିକାଦାର ସମସ୍ତେ ଜନସାଧାରଣଙ୍କ ଟ୍ୟାକ୍ସ ଅର୍ଥରାଶି ଲୁଟ୍ କରି ଆପଣା ଆପଣା ଅର୍ଥନୈତିକ ସ୍ଥିତି ମଜବୁତକୁ ହିଁ ସାମାଜିକ ବିକାଶର ଦର୍ପଣ ଭାବେ ପ୍ରତିଫଳିତ କରାଇବାରେ ବ୍ୟଗ୍ର। ୫T ର ରାସ୍ତାରେ ୫T, ସ୍ବଚ୍ଛତା ରାସ୍ତାରେ ସ୍ବଚ୍ଛତା, ବିକାଶର ରାସ୍ତାରେ ବିକାଶ ହେଲେ ଟ୍ୟାକ୍ସଦାତା ଜନସାଧାରଣ ଜଳକା ।

ଏଭଳି ଏକ ଗୁରୁତର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାରେ ବିଗତ ଦିନରେ ଅନେକ ଦୁର୍ନୀତିରେ ବୁଡ଼ି ରହୁଥିବାକୁ ନେଇ ଯାହା ବାରମ୍ଵାର ଚର୍ଚ୍ଚା ଘେରରେ ରହି ଆସିଛି। ମିଳିଥିବା ସୂଚନା ଅନୁସାରେ ବିଗତ ୨୦୨୧ରେ ୧୪,୮୦,୦୪୮ ଟଙ୍କା ବିନିମୟରେ ନୂଆବସ୍ ଷ୍ଟାଣ୍ଡ ଠାରୁ ଜଗନ୍ନାଥ ମନ୍ଦିର ଦେଇ ସନିଆ ପାଢ଼ୀଙ୍କ ଘର ଯାଏଁ ଏକ ସି.ସି. ରାସ୍ତା ନିର୍ମାଣ ନିମନ୍ତେ ଯଦିଓ ଟେଣ୍ଡର ହୋଇଥିଲା କିନ୍ତୁ ଉକ୍ତ ରାସ୍ତା ସ୍ଥାନୀୟ ସାଇ ବାବା ମନ୍ଦିର ଲାଇନ୍ ନିକଟକୁ ଆସି ଅଟକି ଯାଇଥିଲା। ଏକ ପ୍ରକାରର କୁହାଯାଇପାରେ ଯେ ପ୍ରକୃତ ଧାର୍ଯ୍ୟ ରାସ୍ତାର ପ୍ରାୟ ଦୁଇ ତୃତୀୟାଂଶ ହେଇ ସରିଗଲା ରାସ୍ତା କାମ । ଯଦିଓ କିଛି ଅସନ୍ତୋଷ ଦେଖିବାକୁ ମିଳିଥିଲା କିନ୍ତୁ ସମୟକ୍ରମେ ସବୁ କିଛି ପ୍ରଶମିତ କରିବାରେ ସକ୍ଷମ ହୋଇଥିଲେ ସ୍ଥାନୀୟ ପ୍ରଶାସନ। କିନ୍ତୁ ବର୍ତ୍ତମାନ କାମ ହୋଇନଥିବା ରାସ୍ତା ସମେତ ୨୦୨୧ ମସିହା ଆପାତତଃ ମେ ମାସରେ ତିଆରି ହୋଇଥିବା ରାସ୍ତା ଚଳିତ ବର୍ଷ ମେ ରୁ ଜୁନ୍ ମାସ ସୁଦ୍ଧା ପୁଣିଥରେ ନିର୍ମାଣ କରାଗଲା । ଯେଉଁ ରାସ୍ତା ପେଭର୍ ବ୍ଲକ୍ ଦ୍ଵାରା ମୁକ୍ତା ଯୋଜନା ଅଧୀନରେ ହୋଇଥିବା ଜାଣିବାକୁ ମିଳିଛି । ତେବେ କେତେ ଲମ୍ବା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା, ନିର୍ଦ୍ଦିଷ୍ଟ ଭାବେ କେଉଁ ଠିକାଦାର ସଂସ୍ଥା କିମ୍ଵା ବ୍ୟକ୍ତି ବିଶଷ ବା କେଉଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାମ କରିଛନ୍ତି, କେତେ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା କୌଣସି ପ୍ରକାରର ସୂଚନା ଗଲା ଜୁନ୍ ମାସ ଠାରୁ ଅଦ୍ୟାବଧି ସାର୍ବଜନୀନ କରାଯାଇ ପାରି ନାହିଁ । ଯଦିଓ ଏ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଏଯାବତ୍ ହସ୍ତଗତ ହୋଇନାହିଁ କିନ୍ତୁ ଅଣ- ଆନୁଷ୍ଠାନିକ ସୂତ୍ରରୁ ଜଣାପଡିଛି ଯେ, ପେଭର୍ ନିର୍ମିତ ଏହି ରାସ୍ତାର ବ୍ୟୟ ଅଟକଳ ପ୍ରାୟ ୧୦ ଲକ୍ଷରୁ ଅଧିକ। ଯେଉଁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ବିବାଦ ଘନୀଭୂତ ହୋଇଛି ।

ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି ଯେ, କେଉଁ ପରିପ୍ରେକ୍ଷୀରେ ଦୁଇ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ରାସ୍ତା ନିର୍ମାଣ କରାଗଲା? ପାଖାପାଖି ୧୫ଲକ୍ଷ ବ୍ୟୟ ବରାଦରେ ନିର୍ମିତ ସି.ସି. ରାସ୍ତାର ସ୍ଥାୟୀତ୍ବ ଉପରେ ପୁଣି ୧୦ଲକ୍ଷ ବ୍ୟୟ ବରାଦର ପେଭର୍ ରାସ୍ତା ବାସ୍ତବରେ କେଉଁ ପ୍ରକାରର ବିକାଶକୁ ଦିଶା ନିର୍ଦ୍ଦେଶ କରୁଛି? ସାଧାରଣ ଟ୍ୟାକ୍ସଦାତାଙ୍କ ଟ୍ୟାକ୍ସର ଏହା କିଭଳି ବିନିଯୋଗ ଓ ସଦୁପଯୋଗ? ସବୁ କିଛି ଜାଣି ସୁଦ୍ଧା କେଉଁ ପ୍ରକାରର ସାଲିସ ନା ଠିକାଦାର ମାନଙ୍କ ନ୍ୟସ୍ତ ସ୍ୱାର୍ଥକୁ ଚରିତାର୍ଥ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ନଛୋଡବନ୍ଧା ହୋଇଯାଇଛନ୍ତି? ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେଉଁ ଆଡ଼େ ଉଭେଇ ଯାଇଛି ସ୍ବଚ୍ଛତା ବା ଟ୍ରଂସ୍ପେରେଶି? ୫T ର ନଜର ବର୍ତ୍ତମାନ ୫ଟି T ରୁ ହଟି ନିର୍ବାଚନ ଆଡ଼କୁ ଅଗ୍ରସର ହେଉନି ତ? ଦେଖିବାକୁ ଅପେକ୍ଷା ରହିଲା ଖବର ପ୍ରସାରଣ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କିଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି ।

nis-ad
Leave A Reply

Your email address will not be published.