ସ୍ଥାୟୀ କର୍ମଚାରୀଙ୍କ ୩ମାସ ହେଲା ଦରମା ନମିଳିଥିବା ଦାବିରେ ଟିଟାନିୟମ କମ୍ପାନି ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ…

ଛତ୍ରପୁର : ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି କର୍ତ୍ତୃପକ୍ଷ ଆମକୁ ଆମ ପରିଶ୍ରମର ପ୍ରାପ୍ୟ ଦେବାରେ ଅବହେଳା କରିଚାଲିଛି । ଏନେଇ ବାରମ୍ବାର କମ୍ପାନି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ଛତ୍ରପୁର ଶ୍ରମ ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ଫଳପ୍ରଦ ନ ମିଳିବାରୁ ଶେଷରେ ବୁଧବାର ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଟିଟାନିୟମ କମ୍ପାନିରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ କର୍ମଚାରୀଙ୍କ ୩ ମାସର ଦରମା ସମେତ ବିଭିନ୍ନ ଦାବି ନେଇ ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ସଭାପତି ତଥା ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଶ୍ରମିକମାନେ କମ୍ପାନି ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଏଠାରେ କମ୍ପାନି ଗଢ଼ିତୋଳିବା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ କରିବାର ଫଳ ଭୋଗିବାକୁ ପଡୁଛି । କମ୍ପାନିର ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମନଇଚ୍ଛା କାର୍ଯ୍ୟ କରିବା ସହିତ କର୍ମଚାରୀଙ୍କୁ ଅଣଦେଖା କରୁଛନ୍ତି ବୋଲି ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ସଭାପତି ଶ୍ରୀ ରେଡ୍ଡୀ ଅଭିଯୋଗ କରିଛନ୍ତି । ଏହାସହିତ କମ୍ପାନିରେ ଅସ୍ଥାୟୀ ଭାବେ ଦେଢ଼ଶହରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କୁ ଛଟେଇ କରାଯାଇଛି । ସେହିପରି ୩୦୦ ଜଣ ସ୍ଥାୟୀ କର୍ମଚାରୀଙ୍କ ୩ମାସର ଦରମା ଟଙ୍କା ପ୍ରଦାନ କରାଯାଇ ନାହିଁ ବୋଲି ସେ କହିଛନ୍ତି । ସ୍ଥାୟୀ କର୍ମଚାରୀଙ୍କ ହକ୍ ନିମନ୍ତେ ଲଢ଼େଇ ଜାରି ରହିବ ବୋଲି ମଧ୍ୟ ଭୂ-ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ବି.ଭେଙ୍କଟ ରାବଣା କହିଛନ୍ତି । ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟରତ ଥିବା ପ୍ରାୟ ୩୦୦ ଜଣ କର୍ମଚାରୀଙ୍କ ୩ ମାସ ହେଲା ଦରମା ପ୍ରଦାନ କରାଯାଇ ନଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.