ଆରମ୍ଭ ହେଲା ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍…

ସୁନ୍ଦରଗଡ (୦୧/୧୦) : ଆଜି ସୁନ୍ଦରଗଡ ଭବାନୀ ଭବନ ବହୁମୁଖି ଖେଳ ପଡିଆରେ ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍ ଆରମ୍ଭ ହୋଇ ଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ଭଳି ୧୨୦ ବରିଷ୍ଠ , ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ପଞ୍ଜିକରଣ କରି ୬ଟି ଦଳରେ ଅଙ୍କଭିତ୍ତିକ ନିଲାମ ମାଧ୍ୟମରେ ଦଳଭୁକ୍ତ କରାଯାଇଥିଲା। ଶୋଭନ ଇଲେଭେନ, ମହାକାଲ୍ ବଏଜ୍, ସାଇନିଂ ଷ୍ଟାର, ଜେଣ୍ଟେଲମେନ୍ ଇଲେଭନ୍, ଫ୍ୟୁଚର୍ ଷ୍ଟାର୍ ଓ ସାଗରିକା ଇଲେଭେନ୍ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆଜିର ଉଦ୍ ଘାଟନୀ ମ୍ୟାଚ୍ ଶୋଭନ ଇଲେଭେନ ଓ ଜେଣ୍ଟେଲମେନ୍ ଇଲେଭନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶୋଭନ ଇଲେଭେନ ଦଳ ଟସ୍ ଜିଣି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜେଣ୍ଟେଲମେନ୍ ଇଲେଭନ୍ ଦଳ ସଞ୍ଜୟ ଖୁଣ୍ଟିଆଙ୍କ ୫୬ରନ୍ (୩୨ ବଲ୍), ନବୀନଙ୍କ ୨୧ ରନ୍ (୧୭ ବଲ୍) ଓ ଶିବାଶିଷଙ୍କ ୨୦ରନ୍ (୧୭ ବଲ୍) ସହାୟତାରେ ନିର୍ଦ୍ଧାରିତ ୨୦ ଓଭର୍ ରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା। ୧୫୫ ରନ୍ ର ପିଛା କରି ଶୋଭନ ଇଲେଭେନ୍ ଦଳ ସନ୍ତୋଷ ସେଠୀଙ୍କ ୨୨ ରନ୍(୨୬ ବଲ୍),ଅସିତ୍ ତିର୍କୀଙ୍କ ୨୬ ରନ୍(୨୦ ବଲ୍) ଓ ସୁରଜ୍ ସିଂହଙ୍କ ୨୦ ରନ୍( ୮ବଲ୍) ସହଯୋଗରେ ୬ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଅଲ୍ ରାଉଣ୍ଡ ପ୍ରଦର୍ଶନ ପାଇଁ ଶୋଭନ ଇଲେଭେନ୍ ଦଳର ସନ୍ତୋଷ ସେଠୀ (୨୨ରନ୍, ୨ ୱିକେଟ୍) ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବରେ ପୁରସ୍କୃତ ହୋଇଥିଲେ। ଆଜିର ଏହି ଶୁଭାରମ୍ଭ ଦିବସରେ ମୁଖ୍ୟଅତିଥି ଭାବରେ ସୁନ୍ଦରଗଡ ସଦର ବିଧାୟିକା କୁସୁମ୍ ଟେଟେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂସଦର କ୍ରିକେଟ୍ ସମ୍ପାଦକ ଶିଶିର ପଟେଲ ଓ ଜିଲ୍ଲା କ୍ରୀଡ଼ା ସଂସଦର କାଉନସିଲ ସଦସ୍ୟ ବିଶ୍ୱରଂଜନ ହୋତା ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତାକୁ ଉଦ୍ ଘାଟନ କରିଥିଲେ। ଏହାପରେ ଖେଳାଳୀଙ୍କ ସହିତ ପରିଚୟ ପ୍ରଦାନ କରାଯାଇଥିଲା। ଆଜିର ଏହି ମ୍ୟାଚ୍ ମନୋଜ ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଶୋଭନ ହୋତାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

nis-ad
Leave A Reply

Your email address will not be published.