ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ ହେଲେ ବିଭାଗୀୟ ଅଧିକାରୀମାନଙ୍କର ସହଯୋଗ ନିହାତି ଦରକାର: ଜିଲ୍ଲା ପରିଷଦ ଅଧ୍ୟକ୍ଷା…

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସକୁ ମହାସମାରୋହର ସହିତ ପାଳନ କରାଯାଇଛି । ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ ହେଲେ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ନିହାତି ଦରକାର ବୋଲି ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଥିଲେ । ସେ କହିଲେ, ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ତଥାପି କେଉଁଠି ନା କେଉଁଠି କିଛି ଗ୍ୟାପ୍ ରହିଯାଉଛି । କାରଣ ଏବେବି ଶତକଡ଼ା ୨୦ ଭାଗ ଗର୍ଭବତୀ ମା’ ନିଜ ଘରେ ଶିଶୁକୁ ଜନ୍ମ ଦେଇଛନ୍ତି । ସେଥ‌ିପାଇଁ ଆହୁରି ସଚେତନତାର ଆବଶ୍ୟକତା ରହିଛି । ଏବେ ଶିଶୁମାନଙ୍କ ଖାଦ୍ୟ ତାଲିକାରେ ସରକାର ମାଣ୍ଡିଆରୁ ତିଆରି ଲଡ଼ୁକୁ ଯୋଗ କରିଛନ୍ତି ବୋଲି ସେ କହିଥିଲେ । ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇ କହିଲେ, ଶିଶୁଟିର ଖାଦ୍ୟ ଉପରେ ତା’ର ମାନସିକ ସ୍ତର ନିର୍ଭର କରିଥାଏ । ତେଣୁ ନିଜେ ନିଜ ବାଡ଼ିରେ ପନିପରିବା ଚାଷ କରି ପୋଷଣକୁ ନିଜ ଘରୁହିଁ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରହଲ୍ଲାଦ ସେନାପତି ଅଧିକ ପୋଷଣ ପାଇବା ପାଇଁ ଅର୍ଗାନିକ୍ ସାର ପ୍ରୟୋଗ କରି ଫସଲ ଅମଳ କରିବାକୁ ଉପଦେଶ ଦେଇଥିଲେ । ସେଥ‌ିପାଇଁ କେତେ ଗୁଡ଼ିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କ ବିଭାଗ ଦ୍ଵାରା ଅର୍ଗାନିକ୍ ସାର ପ୍ରସ୍ତୁତ କରିବା ଓ ତା’କୁ ଚାଷ କାର୍ଯ୍ୟରେ ପ୍ରୟୋଗ କରିବାକୁ ତାଲିମ ଦିଆଯାଇଛି । ଏହି ସାର ପ୍ରୟୋଗ କରି ମାଣ୍ଡିଆ ଚାଷ ସହିତ ମୁଗ, ବିରି, ହରଡ଼ ଭଳି ଡାଲି ଜାତୀୟ ଚାଷ ମଧ୍ୟ କରାଯାଉଛି ବୋଲି ସେ କହିଥିଲେ । ସେହିପରି ଉପ-ନିର୍ଦ୍ଦେଶକ, ଉଦ୍ୟାନ କୃଷି ରମାକାନ୍ତ ଗିରି ପୋଷଣ ବିକାଶରେ ତାଙ୍କ ବିଭାଗ ଦ୍ଵାରା ଯେଉଁ ସବୁ ଯୋଜନା ରହିଛି ସେଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସେ କହିଲେ, ସର୍ଭେ ଦ୍ଵାରା ଚିହ୍ନଟ ହୋଇଥିବା ପ୍ରାୟ ୨୨ରୁ ୨୩ ହଜାର କୁପୋଷିତ ବା ଅପପୃଷ୍ଟିର ଶିକାର ହୋଇଥ‌ିବା ପରିବାରକୁ ଦୁଇ ଦୁଇଟି ଅମୃତଭଣ୍ଡା, ସଜନା, ଲେମ୍ବୁ, କଦଳୀ ଆଦି ଚାରା ଗଛ ଯୋଗାଇଦିଆଯାଇଛି । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ପାତ୍ର କହିଲେ, ଗୋଟିଏ ଦେଶ ବା ରାଜ୍ୟ ବା ଜିଲ୍ଲା କେତେ ଉନ୍ନତ ତାଙ୍କର ମାତୃ ଓ ଶିଶୁ ମୃତ୍ୟୁ ହାରରୁ ହିଁ ଜାଣିହେବ । ଏହି ହାରକୁ ରୋକିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ଵାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମ ଦରକାର ପଡ଼ୁଛି । ଗର୍ଭବତୀ ମା’ ଓ ପ୍ରସ୍ତୁତି ମା’ ମାନଙ୍କର ଯତ୍ନ ସଠିକ୍ ଭାବେ ନିଆଗଲେ କୁପୋଷଣକୁ ବହୁପରିମାଣ ରେ ରୋକାଯାଇପାରିବ ବୋଲି ସେ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ ତାଙ୍କର ପ୍ରାରମ୍ଭିକ ସୂଚନାରେ ଆଜିର ଏହି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ସେ କହିଲେ, ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପୋଷଣ ମାସ ପାଳନ କରାଯାଉଛି । ୨୦୩୦ ମସିହା ସୁଦ୍ଧା କୁପୋଷଣକୁ ହଟାଇବା ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ଏଥିସହିତ ଜଡ଼ିତ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ । ଗୋଟିଏ ଶିଶୁର ଜନ୍ମରୁ୧ହଜାର ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହି ସମୟ ସୀମା ମଧ୍ୟରେ ତା’ର ସାମଗ୍ରିକ ବିକାଶ ଘଟିଥାଏ । ସେଥିପାଇଁ ତା’ର ଶକ୍ତିଦାୟକ ଖାଦ୍ୟ, ପ୍ରୋଟିନ୍ ଦାୟକ ଖାଦ୍ୟ, ରୋଗ ପ୍ରତିରୋଧକ ଖାଦ୍ୟ ବିଷୟରେ ଅଙ୍ଗନୱାଡ଼ି କର୍ମୀମାନେ ବେଶ ଭଲଭାବରେ ପ୍ରସ୍ତୁତି ମା’ମାନଙ୍କୁ ସଚେତନ କରୁଛନ୍ତି । ସେମାନେ ସେଗୁଡ଼ିକୁ ମାନିବା ଦରକାର । କାରଣ ସୁସ୍ଥ ଶିଶୁଟିଏ ବା ସୁସ୍ଥ ବାତାବରଣ ଭିତରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତରେ ଗୋଟିଏ ସୁନାଗରିକ ହେବାର ସମ୍ଭାବନା ଅଧିକ ଥାଏ ବୋଲି ସେ କହିଥିଲେ। ସୁସ୍ଥ ଶିଶୁ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମା’ଓ ଶିଶୁ, ପୋଷଣ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ କିଶୋରୀ ବାଳିକା ମାନଙ୍କୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆକ୍ଟନ୍ ଏଡ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସୁରକ୍ଷା ଓ କାର୍ଯ୍ୟକ୍ରମ ଅଧିକାରୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପପରିଚାଳକ ମନୋରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସି.ଡି.ପି.ଓ.ସୁପର୍‌ଭାଇଜର୍‌, ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା, ପୋଷଣ ପାଇଁ କାର୍ଯ୍ୟ କରୁଥିବା ଜିଲ୍ଲା ଓ ବ୍ଳକ ସଂଯୋଜକ, ଏନ୍.ଓ.ପି.ର ସଂଯୋଜକମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.