ପିଇଓ କ୍ୱାଟର ପାଲଟିଛି କ୍ଵାକ ଡାକ୍ତରଙ୍କ ଅସ୍ଥାୟୀ କ୍ଲିନିକ, କ୍ବାକ୍ ହାତରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ…

ମାଲକାନଗିରି //କାଲିମେଳା (୧୬/୦୯) : ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ଅନ୍ତର୍ଗତ ତାଣ୍ଡବାଈ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବାସଗୃହ ଠାରେ ଜଣେ କ୍ବାକ୍ ଡାକ୍ତର ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉ ଥିବା ଦେଖିବାକୁ ମିଳିଛି। ଏହି କୋଠରୀଟିର ବାହାରେ ଲଗା ଯାଇଥିବା ବ୍ୟାନର କୁ ଦେଖିଲେ ଗ୍ରାମାଞ୍ଚଳରେ ରହିଥିବା ଏକ କ୍ଲିନିକ ଭଳି ଭ୍ରମ ସୃଷ୍ଟି କରୁଥିବା ବେଳେ କୋଠାରୀ ଭିତରେ ରୋଗୀଙ୍କୁ ଟାଇଲ୍ସ ଚଟାଣରେ ଶୁଆଇ ସାଲାଇନ ବୋତଲକୁ ଝରକାରେ ବାନ୍ଧି ରୋଗୀଙ୍କୁ ଦିଆଯାଉଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କୁ ମେଡିକାଲ ବିଭାଗ କିମ୍ବା ବିଭାଗୀୟ ଅନୁମତି ନନେଇ ସ୍ଥାନୀୟ ଲୋକଙ୍କୁ ଭଳିକି ଭଳି ମେଡ଼ିସିନ୍, ସାଲାଇନ ଓ ଔଷଧ ପ୍ରଦାନ କରାଯାଉଥିବା ବେଳେ ସ୍ଥାନୀୟ ଲୋକ ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ପ୍ରଦାନ କରୁଥିବା କହିଥିଲେ। ଏଠାରେ ଡାକ୍ତର ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟର ଜଣେ କ୍ବାକ୍ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି। ଆଜି ଏ ନେଇ ଗ୍ରାମବାସୀ ସ୍ଥାନୀୟ ଅଂଚଳର ଗଣମାଧ୍ଯମ ପ୍ରତିନିଧିଙ୍କୁ ଖବର ଦେବାରୁ ଗଣମାଧ୍ଯମ ପ୍ରତିନିଧି ମାନେ ସେଠାରେ ପହଁଞ୍ଚିବା କ୍ଷଣି ବିଭିନ୍ନ କ୍ବାକ୍ ଡାକ୍ତର ଜଣଙ୍କ ବିଭିନ୍ନ ଆଳ ଦେଖାଇ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ଏ ବାବଦରେ ତାଣ୍ଡବାଈ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ନୂତନ ଭାବେ ଯୋଗ ଦେଇଛନ୍ତି ଓ ସମ୍ପୂର୍ଣ୍ଣ ଦାୟିତ୍ଵ ନେଇ ନଥିବାରୁ ଘଟଣା ବାବଦରେ ଅବଗତ ନାହାନ୍ତି ବୋଲି କହିଛନ୍ତି। ତେବେ ଦୀର୍ଘ ଦିନ ଧରି ଆନ୍ଧ୍ରପ୍ରଦେଶ ଅଞ୍ଚଳର ଜଣେ କ୍ବାକ୍ ଡାକ୍ତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସରକାରୀ ବାସଗୃହରେ ରହି ରୋଗୀ ସେବା କରୁଥିବା ବେଳେ ବିଭାଗ ଏ ଦିଗରେ କିଭଳି କେହି ଜାଣି ପାରୁ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍ ପଞ୍ଚାୟତ ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଏ ଦିଗରେ ଦୃଷ୍ଟି ନଦେବା ସ୍ୱାସ୍ଥ୍ୟ କର୍ମୀଙ୍କ ଢ଼ିଲାପଣ କୁ ପଦାରେ ପକାଉଛି । କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ଗଣ୍ଡା ଗଣ୍ଡା କ୍ବାକ୍ ଡାକ୍ତର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଚିତ୍ର ଦେଖିବାକୁ ମିଳୁଥିବା ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଥିବା ବେଳେ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିବି କ୍ଵାକ ଡାକ୍ତରଙ୍କ ରାଜୁତି ଦେଖିବାକୁ ମିଳୁଛି। ତାଣ୍ଡବାଈ ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଏଭଳି କ୍ବାକ୍ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଲୋକଙ୍କୁ ମେଡିକାଲ ମୁହାଁ କରାଇ ପାରିଲେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକୁ ସୁରକ୍ଷିତ କରାଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏଥିସହ ତାଣ୍ଡବାଈ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ରହି ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ତାହାର ଉଚିତ୍ ତଦନ୍ତ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.