ଚାଉଳ ପାଇଁ ପଞ୍ଚାୟତ ଘେରିଲେ ଶତାଧିକ ମହିଳା

ବାଲିଗୁଡ଼ା : ବକେୟା ଚାଉଳ ମିଳିନଥିବା ନେଇ ତାତିଲେ ମହିଳା । ଏମିତି କି ରାଜରାସ୍ତା କୁ ଆସି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରିଥିଲେ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡି ଗ୍ରାମ ପଞ୍ଚାୟତରେ ଗୁରୁବାର ଦେଖିବାକୁ ମିଳିଛି । ଗତ ଏପ୍ରିଲ, ମଇ ଓ ଜୁନ ମାସର ବକେୟା ଚାଉଳ ପଞ୍ଚାୟତର ସମୁଦାୟ ୯ ଶହରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଆଜି ଯାଏ ମିଳିନଥିବା ଅଭିଯୋଗ ହୋଇଛି ।ଯେଉଁଥି ପାଇଁ ପଞ୍ଚାୟତର ଶତାଧିକ ମହିଳା ହାତରେ ରାସନ କାର୍ଡ ଧରି ରାଲି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରି ପ୍ରତିବାଦ ଜଣାଇଥିଲେ । ଦୀର୍ଘ ଦିନ ଧରି ବକେୟା ଟାଉଳ ମିଳିନଥିବା କାରଣରୁ ଗରିବ ପରିବାର ଲୋକେ ଭୋକ ଉପାସରେ ରହୁଛନ୍ତି । ଏମିତି କି ଗରିବ ଲୋକେ ଚଢ଼ା ଦରରେ ଦୋକାନରୁ ଚାଉଳ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନି ବୋଲି ମହିଳା ମାନେ କହିଛନ୍ତି । ସରକାର ସେମାନଙ୍କ ଲାଗି ଚାଉଳ ପଠାଉଥିବା ବେଳେ ସେହି ଚାଉଳ କୁଆଡେ ଯାଉଛି ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି । ବକେୟା ଚାଉଳ ପାଇବା ଲାଗି ମହିଳା ମାନେ ବାରମ୍ବାର ପଞ୍ଚାୟତକୁ ଆସୁଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ କେହି ଶୁଣୁନଥବା କହିଛନ୍ତି । ଅନ୍ୟପଟେ ମେସିନରେ ଭୁଲ ଏଣ୍ଟ୍ରି ଯୋଗୁ ୩ ମାସର ବକେୟା ଚାଉଳ ହିତାଧିକାରୀଙ୍କୁ ଦିଆ ଯାଇପାରିନାହିଁ ବୋଲି ପଞ୍ଚାୟତର ଯୋଗାଣ ସହାୟକ ସ୍ଵୀକାର କରିଛନ୍ତି । ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ମଧ୍ଯ ଅବଗତ ଅଛନ୍ତି, ବକେୟା ଚାଉଳ ଆସିଲେ ତୁରନ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.