ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ଉପଖଣ୍ଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଗୁଡିକୁ ସଚେତନତା କରାଇବା ଲାଗି ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ସାଇନ୍‌ବୋର୍ଡ ମାଧ୍ୟମରେ ଉପଲବ୍ଧ କରାଯାଉ । ଡାକ୍ତରଙ୍କ ଅଭାବ ମଧ୍ୟରେ ରୋଗୀଙ୍କୁ ଯର୍ଥାତ୍ ସେବା ଯୋଗାଇବା ଦିଗରେ ପଦକ୍ଷେପ ନିଆଯାଉ । ଆମ ହସ୍ପିଟାଲ ଯୋଜନା ମାଧ୍ୟମରେ ଡାକ୍ତରଖାନାର ଭିତ୍ତିଭୂମିର ତ୍ୱାରାନ୍ୱିତ ପାଇଁ ବିଭିନ୍ନ ଲାଇନ୍ ବିଭାଗ ଦ୍ୱାରା ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକଙ୍କ ହାତପାଣ୍ଠିରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପାଇଁ ମହାପ୍ରାରାୟଣ ଗାଡିକୁ ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ଆଲୋଚନା ହୋଇଥିଲା । ସେହିପରି ରୋଗୀଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥାରେ ରୋଗୀଙ୍କ ଖାଦ୍ୟ ପିଛା ୮୫ ଟଙ୍କା ବଦଳରେ ସରକାର ୧୧୦ ଟଙ୍କା ପରିବର୍ଦ୍ଧିତ କରିଛନ୍ତି । ଏଣୁ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଦେବା ପାଇଁ କୁହାଯାଇଥିଲା । ଚିକିତ୍ସାଳୟ ପରିସରରେ ଥିବା ସ୍ୱତନ୍ତ୍ର କ୍ୟାବିନ୍ ତ୍ରିନାଥ-ସୁନ୍ଦରୀ ଏବଂ ରେଡ୍‌କ୍ରସ୍ ତରଫରୁ ଥିବା ସ୍ୱତନ୍ତ୍ର କ୍ୟାବିନ୍‌ର ମରାମତି କାମ ତୁରନ୍ତ ଶେଷ କରି ହସ୍ତାନ୍ତର କରାଯିବା ପାଇଁ ଲାଇନ୍ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାକ୍ତରଖାନା ପରିଚାଳନା କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚର ବିବରଣୀ ରଖାଯାଇଥିଲା । ବୈଠକରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ଉପାଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ଯୋଗଦେଇ ଡାକ୍ତରଖାନାରେ ରୋଗୀଙ୍କ ଉତ୍ତମ ସେବା କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଗୁରୁ୍‌ତ୍ୱାରୋପ କରିଥିଲେ । ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପର୍ଶୁରାମ ଗୌଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ମ୍ୟାନଜର ଗଣେଶ ନାହକ ସମସ୍ତ ବିବରଣୀ ଉପସ୍ଥାପନା କରିଥିଲେ ଏବଂ ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମଳୟ କୁମାର ସାହୁ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସାଉଥ୍‌କୋର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ବଲ୍ଲଭ, ଡିଇଡି କନିଷ୍ଠ ଯନ୍ତ୍ରୀ ସୁଜନ ନାଥ, ତ୍ରିନାଥ-ସୁନ୍ଦରୀ କ୍ୟାବିନ୍ ପକ୍ଷରୁ ସମାଜସେବୀ ରାଜେନ୍ଦ୍ର କୁମାର ସାହୁ, ରୋଗୀକଲ୍ୟାଣ ସମିତିର ସଭ୍ୟ ଏସ୍‌.ରେଖା ମହାନ୍ତି ଓ ବସନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.