ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର: ଗୋଟିଏ ଦାନା ଶସ୍ୟ ଭାରତୀୟ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇଥାଏ । ବିଶ୍ୱସ୍ତରୀୟ ଅର୍ଥନୀତିରେ ନିଜର ଆଧିପତ୍ୟ ବିସ୍ତାର ପାଇଁ କୃଷିର ବିକାଶ ଜରୁରୀ । ରାଜ୍ୟ ତଥା ଦେଶର ପ୍ରଗତି କ୍ଷେତ୍ରରେ ପ୍ରତ୍ୟେକ ଅର୍ଥନୈତିକ ଦିଗ ଉପରେ ସମୀକ୍ଷା କରାଯିବା ଆବଶ୍ୟକ । ଜାତୀୟ ଆୟ ପାଇଁ ସମୁଦାୟ ବିଭାଗୀୟ ଅବଦାନ ଆବଶ୍ୟକ । ନିମ୍ନ ମଧ୍ୟବିତ୍ତ ଭାରତୀୟ କିଭଳି ବୀତ୍ତଶାଳୀ ହୋଇପାରିବେ ସେଥିପାଇଁ ପ୍ରୟାସ ଜରୁରୀ, ଯାହା ଭାରତୀୟଙ୍କ ପାଇଁ ବିକାଶର ଲକ୍ଷ୍ୟ ଭାବେ ବିବେଚନା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ ଅଧ୍ୟକ୍ଷ ଡ.ବିବେକ ଦେବରାୟ ପ୍ରକାଶ କରିଛନ୍ତି ।
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଂଘ ପକ୍ଷରୁ ପିଜି କାଉନସିଲରେ ଆୟୋଜିତ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ଶୀର୍ଷକ ବକ୍ତୃତା ପ୍ରଦାନ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ ଅଧ୍ୟକ୍ଷ ଡ.ବିବେକ ଦେବରାୟ କହିଛନ୍ତି ଯେ ଅତୀତରେ ଭାରତ କେବଳ ରୋଷେଇ ଓ ଯୋଗ ପାଇଁ ପରିଚିତ ଥିଲା । ଭାରତ କୋଭିଡ ୧୯ ମହାମାରୀକୁ ସଫଳତାର ସହ ମୁକାବିଲା କରିବା ସହିତ ସମଗ୍ର ବିଶ୍ୱ ପାଇଁ ଟିକା ଉତ୍ପାଦନ ସହ ରପ୍ତାନୀ ବି କରିଥିଲା । ଏହାସହିତ ବିଶ୍ୱ ଅର୍ଥନୀତିରେ ନିଜର ସ୍ୱତନ୍ତ୍ରତା ଜାହିର କରିଥିଲା । ୨୦୪୭ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତିରେ ବିକାଶ ପାଇଁ ଆମକୁ ଜମି, ଶ୍ରମ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ସଂସ୍କାର ଆଣିବାକୁ ହେବ । କୃଷି କ୍ଷେତ୍ରରେ ସଂସ୍କାର ସହ ଏହାର ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ନେବାକୁ ପଡ଼ିବ । ଅଧିକ ଉତ୍ପ।ଦନକ୍ଷମ ହେବାକ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବାକୁ ହେବ । ଫଳରେ ଭାରତୀୟ ଅର୍ଥନୀତି ବିକାଶମ୍ମୁଖୀ ହୋଇପାରିବ ବୋଲି ଡ.ଦେବରାୟ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଭାରତୀୟ ଅର୍ଥନୀତିରେ ପ୍ରଗତି ପାଇଁ ବୈଷୟିକ ଜ୍ଞାନ ଅପରିହାର୍ଯ୍ୟ । ପ୍ରତ୍ୟେକ କ୍ଷେତ୍ରରେ ଏହାର ପ୍ରୟୋଗ ସଠିକ ଭାବେ କରାଯାଇପାରିବେ ଦେଶର ବିକାଶ ହେବ । ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ୱ ଦେଇ କାର୍ଯ୍ୟ ସମ୍ପାଦନ କଲେ ରାଜ୍ୟ ତତା ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଳି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ ।
ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ମିତାଲି ଚିନ୍ନାରା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ଅର୍ଥନୀତି ସଂଘର ସଂଘର ସମ୍ପାଦକ ଡ.ଅମରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.