ଭୁତ ନାଁରେ ଅନେକ କାର୍ଡ ସରକାରୀ ଟଙ୍କା ହଡପ ର ବାଟ…!
ଫୁଲବାଣୀ :- ଅଜବ ସରକାରୀ କାର୍ଯ୍ୟ ଜୀବିତ ଥାଇ ମୃତ ଦର୍ଶାଉଛି ସରକାରୀ ରେକର୍ଡ। ଶରୀର ଜୀବିତ ମାତ୍ର କାଗଜ କଲମରେ ମୃତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ୧୯ ନମ୍ୱର ୱାର୍ଡ ମାଲାନସୁଗା ଗ୍ରାମର ଏକାକୀ ରହିଥିବା ଅସହାୟ ବ୍ୟକ୍ତି ହରିଶ୍ଚନ୍ଦ୍ର ପ୍ରଧାନ ବୟସ ୭୨ ପରେ। ସେ ଏକାକୀ ରହିଛନ୍ତି, ତାଙ୍କର କେହି ନାହାନ୍ତି। ହରିଶ୍ଚନ୍ଦ୍ରଙ୍କ ବିଷୟରେ ଖବର କାଗଜରେ ଖବର ପ୍ରକାଶ କରିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କ ରାସନ କାର୍ଡ ପାଇଁ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଜୀବିତ ହରିଶ୍ଚନ୍ଦ୍ରଙ୍କୁ ମୃତ ଦର୍ଶା ଯାଇଥିବା ସରକାରୀ ରେକର୍ଡରେ ଦେଖୁବାକୁ ମିଳିଥିଲା। ବିଗତ ଦୁଇରୁ ତିନି ବର୍ଷ ହେବେ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଉଳ ୫ କିଲୋ ପ୍ରତି ମାସ ପାଉଥିଲେ। କିନ୍ତୁ ବିଗତ କିଛି ମାସ ହେବ ସେ କୌଣସି କାରଣରୁ ଅସୁସ୍ଥ ହୋଇ ଗଲେ ଓ ଚାଉଳ ଆଣିବା ପାଇଁ ଗଲେ ନାହିଁ। କିଛି ମାସ ବ୍ୟବଧାନ ହେବା କାରଣରୁ ସେ ଆଉ ଚାଉଳ ପାଉ ନାହାଁନ୍ତି। ସୂଚନା ଯାହା ରହିଛି ପୂର୍ବରୁ ଟିକାବାଲି ବ୍ଲକ ଅଧିନରେ ପିକରଡି ପଞ୍ଚାୟତ ଅଧିନରେ ମାଲାନସୁଗା ଗ୍ରାମ ରହିଥିଲା। ସେହି ସମୟରେ ସେ ପିକରଡି ପଞ୍ଚାୟତ ଅଧିନରେ ଚାଉଳ ପାଇ ଆସୁଥିଲେ। ବର୍ତ୍ତମାନ ଏହିମାଲାନସୁଗା ୱାର୍ଡକୁ ଜି. ଉଦୟଗିରି ବ୍ଲକ ଅଧିନକୁ ଅଣାଯାଇଛି। ତେବେ ଏକା ରହୁଥିବା ହରିଶ୍ଚନ୍ଦ୍ର ପ୍ରଧାନ ଜୀବିତ ଥାଇ ମୃତ ବୋଲି ଘୋଷିତ ହୋଇଛନ୍ତି ଓ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ପୁକୁଲିଙ୍ଗିଆ ୱାର୍ଡ ମେମ୍ବର ଏହି ଖବର ପାଇବା ପରେ ହରିଶନ୍ଦ୍ର ପ୍ରଧାନଙ୍କୁ ନେଇ ସ୍ଥାନୀୟ ବ୍ଲକ ପହଞ୍ଚି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ସମସ୍ତ ବିଷୟ ତଦାରଖ ପରେ ଜଣା ପଡିଲା ଅନଲାଇନ୍ ଷ୍ଟାଟସ୍ ଦେଖାଉଛି କି ସେ ମୃତ ବୋଲି। ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିବା ପରେ ଜଣା ପଡ଼ିଲା କି ଟିକାବାଲି ବ୍ଲକ ଅଧିନରେ ଥିବା ପିକରଡି ପଞ୍ଚାୟତ କର୍ମଚାରୀ ଏହିପରି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା କାରଣରୁ ଅସହାୟ, ନିରୁପାୟ, ଏକାକୀ ମଣିଷ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ ଆଉ ଚାଉଳ ପାଉ ନାହାଁନ୍ତି। ପୂର୍ବରୁ ଭଲରେ ମାସକୁ ମାସ ଚାଉଳ ପାଉଥିବା ବେଳେ ବିଗତ କିଛି ବର୍ଷ ହେବ ସେ ଚାଉଳ ପାଇବାରୁ ବଞ୍ଚିତ ହେଇଛନ୍ତି। ତୁରନ୍ତ ଏହାର ତଦନ୍ତ କରାଯାଉ ଓ ଦୋଷୀକୁ ଦଣ୍ଡ ଦିଆଯାଉ କି ସେ କିପରି ଜୀବିତ ମଣିଷକୁ ମୃତ୍ୟୁ ଘୋଷିତ କଲେ ଓ ତାଙ୍କ ପାଖରେ କଣ ପ୍ରମାଣ ରହିଛି, ସେ ମୃତ ବୋଲି ତାହା ଭଲ ବ ଭାବରେ ଯାଞ୍ଚ କରାଯାଉ ଓ ଦଣ୍ଡ ଦିଆଯାଉ ତା’ ସହିତ ଯେତେ ମାସ ଚାଉଳ ପାଇବାରେ ବଞ୍ଚିତ ହୋଇଛନ୍ତି ସେତିକି ମାସର ଚାଉଳ ପ୍ରଦାନ କରାଯିବା ନିମନ୍ତେ ସାଧାରଣରେ ଦାବି ହେଉଛି। ଆମ ସରକାରୀ କାର୍ଯ୍ୟର ଏ ହେଉଛି ବିକଳ ଚିତ୍ର। ଜଣେ ଜୀବତ ଥାଉ ଥାଉ ମୃତ ଦେଖାଇବା ସରକାରୀ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେମିତି ଚାଲିଛି ସରକାରୀ କାର୍ଯ୍ୟ ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ଦୃଶ୍ୟମାନ ହୋଇ ଯାଉଛି। ଗରିବ ଅସହାୟଙ୍କ ପାଇଁ ସରକାର ମାଳ ମାଳ ଯୋଜନା କଲେ କଣ ହେବ ପ୍ରକୃତ ହିତାଧିକାରୀ ମାନେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି।ଜୀବିତ ମଣିଷକୁ ମୃତ ଦର୍ଶାଇ ଯୋଜନାକୁ ବାଟବଣା କରାଯାଉଥିବା ଲକ୍ଷ କରିହେଉଛି। ଏହିଭଳି ଏକାଧିକ ହରିଚନ୍ଦ୍ର କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପଡି ରହିଛନ୍ତି। ଶିକ୍ଷା ଅଭାବରୁ ସରକାରୀ ଯୋଜନା ବିଷୟରେ ନା ଅବଗତ ହୋଇ ପାରିଛନ୍ତି ନା ସରକାରୀ କର୍ମଚାରୀ ତାଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରୁଛନ୍ତି। ଓଲଟି ମୃତ ଦର୍ଶେଇ ହାତ ଝାଡି ବସିଛନ୍ତି।