ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ବ୍ଲକ କଳା ସଂସ୍କୃତି ସଙ୍ଘରେ ସଂଶ୍ଳିଷ୍ଟ ଥିବା ଓଡ଼ିଶାର ହଜାର ହଜାର ସଂଖ୍ୟାରେ କଳାକାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ ଯୋଜନାରେ ଲୋକଙ୍କ ସଂପୃକ୍ତିକୁ ଅଧିକ ସୁଦୃଢ଼ କରୁଛନ୍ତି। ଫଳରେ, ଓଡ଼ିଶାର ପାରମ୍ପରିକ ଲୋକକଳାର ସଂରକ୍ଷଣ, ବିକାଶ ତଥା ପ୍ରଚାର ପ୍ରସାର ହେବା ସହିତ କଳାକାର ମାନଙ୍କର ଜୀବନ ଜୀବିକାରେ ସହାୟକ ମଧ୍ୟ ହେଉଛି ।
ଏହି ପରିପ୍ରେକ୍ଷୀରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଚଳିତ ମାସ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଗ୍ରାମାଞ୍ଚଳରେ ଯୋଜନାବଦ୍ଧ ଭାବରେ ଆୟୋଜିତ ହେବ। ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରୁଥିବା ସମସ୍ତ ସାଂସ୍କୃତିକ ଦଳ ଏହି ଅଭିଯାନରେ ଅଂଶ ଗ୍ରହଣ କରିବେ । ଓଡ଼ିଶା ସରକାରଙ୍କର ଯେଉଁ ଯୋଜନା ଗୁଡ଼ିକ ଲୋକଙ୍କ ଜୀବନଚକ୍ରକୁ ଅଧ‌ିକ ପ୍ରଭାବିତ କରୁଛି ଏବଂ ଯେଉଁଥିରେ ଲୋକମାନେ ଅଧିକରୁ ଅଧିକ ଉପକୃତ ହେଉଛନ୍ତି ସେହି ଯୋଜନା ଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଅଧିକ ଗୁରୁତ୍ବ ଦିଆଯିବ l ସେଥିଲାଗି ଜିଲ୍ଲାସ୍ତରରେ ଓ ବ୍ଲକସ୍ତରରେ କଳାକାର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।ଏହି କ୍ରମରେ ଆଜି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ କହିଥିଲେଯେ,ସରକାର ଙ୍କର କେତେ ଗୁଡ଼ିଏ ବିକାଶ ମୂଳକ ଯୋଜନା ରହିଛି ତାହା ଗ୍ରାମାଞ୍ଚଳର କିଛି ଲୋକମାନଙ୍କ ପାଖରେ ପହଞ୍ଚିପାରୁନି । ଫଳରେ ସେମାନେ ତା’ର ଫାଇଦା ପାଇପାରୁନାହାଁନ୍ତି । ଓଡ଼ିଶା ସରକାରଙ୍କ ଏହି ଉଦ୍ୟମ କଳାକାରମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହିତ ପାରମ୍ପରିକ ଲୋକକଳାକୁ ବିଲୁପ୍ତ ହେବାକୁ ଦେବ ନାହିଁ । ଯୋଜନା ଗୁଡ଼ିକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ପରିବେଷଣ କଲେ ଲୋକମାନେ ସହଜରେ ସଚେତନ ହୋଇପାରିବେ । ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ପାଇଥିବା ସଂସାଧନ ସଭ୍ୟ ସଭ୍ୟମାନେ ଚଳିତ ମାସ ୩ ତାରିଖରୁ ୧୩ ତାରିଖ ମଧ୍ୟରେ ହେବାକୁ ଥିବା ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ କଳାକାର ମାନଙ୍କୁ ତାଲିମ ଦେବେ ।ଆଜିର ଏହି ତାଲିମ ଶିବିରରେ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ, ରାଜ୍ୟ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ କୃଷ୍ଣ ଚନ୍ଦ୍ର ନିସଙ୍କ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟ ସଭ୍ୟାଙ୍କୁ ତାଲିମ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.