ଜାତୀୟ କ୍ରୀଡ଼ା ଦିବସ ପାଳନ କଲା ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ…

ସ୍ବର୍ଗତ ବିଭୂତି ଭୂଷଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…



ସୁନ୍ଦରଗଡ -୨୯.୦୮.୨୩ ଆଜି ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି ଜାତୀୟ କ୍ରୀଡ଼ା ଦିବସ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ନେତୃତ୍ତ୍ଵରେ ଜିଲ୍ଲା କ୍ରୀଡ଼ା ସଂସଦର ସଦସ୍ୟ ଓ କ୍ରୀଡ଼ାପ୍ରେମୀ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରି ତାଙ୍କର ଅବଦାନକୁ ମନେ ପକାଇଥିଲେ। କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ତାଙ୍କ ବକ୍ତବ୍ୟରେ ମେଜର ଧ୍ୟାନଚାନ୍ଦ କିପରି ୧୯୨୮,୧୯୩୨ ଓ ୧୯୩୬ ମସିହାରେ ସ୍ଵର୍ଣ୍ଣପଦକ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବର୍ଣ୍ଣନା କରିବା ସହିତ ବ୍ୟକ୍ତିଗତ ଜୀବନରେ କ୍ରୀଡାର ମହତ୍ତ୍ଵ ବିଷୟରେ ଅବଗତ କରାଇଥିଲେ। କ୍ରୀଡ଼ା କିଭଳି ମଣିଷକୁ ଶୃଙ୍ଖଳିତ କରେ ତାହା ବିଗତ ଦିନ ତଥା ସାଂପ୍ରତିକ କ୍ରୀଡାବିତ୍ ମାନଙ୍କ ଠାରେ ଦେଖିବାକୁ ମିଳିବ ବୋଲି ସେ ପ୍ରକାଶ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଦସ୍ୟଗଣ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ଗତ କାଲି ସୁନ୍ଦରଗଡ କ୍ରିକେଟ ଜଗତର ଭୀଷ୍ମ ପିତାମହ ବିଭୂତି ଭୂଷଣ ବହିଦାର (ଗୁଣ୍ଡୁ ଦାଦା)ଙ୍କ ସ୍ଵର୍ଗାରୋହଣ ପରେ ଆଜି ଜିଲ୍ଲା କ୍ରୀଡ଼ା ସଂସଦ ଏକ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରକାଶଯୋଗ୍ୟ ଯେ ସ୍ବର୍ଗତ ବହିଦାର ସୁନ୍ଦରଗଡ଼ରେ କ୍ରିକେଟ ଖେଳକୁ ଏକ ନୂଆ ପରିଭାଷା ଦେଇଥିଲେ। ତାଙ୍କ ବଳିଷ୍ଠ ନେତୃତ୍ତ୍ଵରେ ସୁନ୍ଦରଗଡରୁ ଅନେକ ପ୍ରତିଭାଶାଳୀ ଖେଳାଳୀ ଉତ୍ପନ୍ନ ହୋଇ ଜିଲ୍ଲା ପାଇଁ ସୁନାମ ଆଣି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସମ୍ପୂର୍ଣ ଭାବରେ ଆଧ୍ୟାତ୍ମିକ ହୋଇ ଏକ ସନ୍ୟାସୀ ଭାବରେ ସ୍ବାମୀ ଆତ୍ମବିଦ୍ୟାନନ୍ଦ ନାମରେ ଋଷିକେଶ ଠାରେ ଏକ ଆଶ୍ରମ କରି ଅବସ୍ଥିତ ଥିଲେ। ଗତକାଲି ପ୍ରାତଃ ୮ ଘଟିକା ସମୟରେ ତାଙ୍କ ଆଶ୍ରମରେ ହୃଦଘାତରେ ସେ ମହାସମାଧୀ ଲାଭ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଭୋଳ ସ୍ବର୍ଗତ ବହିଦାରଙ୍କ ଅବଦାନ ସୁନ୍ଦରଗଡ କେବେ ଭୁଲି ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏହି ଅବସରରେ କ୍ରୀଡ଼ା ସଂସଦର ସହସଂପାଦକ ଜୟଦେବ ପାତ୍ର, ସଦସ୍ୟ ନିତ୍ୟ କୁମାର ବଳ, ଶିଶିର କୁମାର ପଟେଲ, ରୋମାଞ୍ଚ ଭାଇଁସାଲ, ଅଶ୍ଵିନୀ କୁମାର ଭୋଳ, ଆଶିଷ ଦେ, ବିମଳ ବୋଷ, ଅନିଲ ବହିଦାର, ପ୍ରସାଦ ନାଏକ, ବିଶ୍ୱରଂଜନ ହୋତା ,ଶ୍ୟାମ ନନ୍ଦନ ସହାୟ, ଜଗମୋହନ ରାଉତ, ସୁଶିଲ ପଟେଲ ତଥା କ୍ରୀଡ଼ାପ୍ରେମୀ ରାକେଶ ଗୁରୁ, ଅଜିତ ଦ୍ବିବେଦୀ, ବିଶ୍ୱରଂଜନ ଦାସ, ସୁନିଲ ଦଲୱାନି, ପ୍ରସନ୍ନ ଠାକୁର, ଚନ୍ଦ୍ରମଣି ମିଶ୍ର ଏବଂ ସଂସଦର ପୂର୍ବତନ ଉପସଭାପତି ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.