ଗହ୍ମାପୂର୍ଣ୍ଣିମା ଦିନ ସକାଳେ ଶ୍ରୀମନ୍ଦିରରେ ରାଖୀ ଓ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ପରେ ମା’ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ଏହାକୁ ବାନ୍ଧିବେ। ଦୁଇ ଭାଇ ଦୁଇ ହାତରେ ଗୋଟିଏ ଲେଖାଏଁ ରାଖୀ ବାନ୍ଧିବେ। ଏଥିପାଇଁ ପାଟର ବିଶୋଇ ଜଗନ୍ନାଥ ପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ପ୍ରଦାନ କରିଛି। ଚିତା ଲାଗି ଅମାବାସ୍ୟାର ୧୦ ଦିନ ପରେ ରାଖୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ରାଖୀ ତିଆରି ପାଇଁ ୧୦ରୁ ୧୨ ଦିନ ଆଗରୁ ପାଟରା ବିଶୋଇ ଓ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ବାସୁଙ୍ଗା ପାଟରେ ଦୁଇ ଠାକୁରଙ୍କ ରାଖୀ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଆବଶ୍ୟକ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ। ପରେ ଏହି ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇଥାଏ। କିନ୍ତୁ ରାଖୀର କୌଣସି ମାପ ନଥାଏ। ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାଖୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ। କେବଳ ଦୁଇ ଠାକୁରଙ୍କ ପାଇଁ ନୁହେଁ, ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ। ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ। ପାରମ୍ପରିକ ସେବା ହୋଇଥିବାରୁ ପାଟରା ବିଶୋଇ ଶ୍ରୀ ପାତ୍ର ସେବା ମନୋବୃତ୍ତି ରଖି ନିଷ୍ଠାର ସହ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ସେବା ସମ୍ପନ୍ନ କରି ଆସୁଛନ୍ତି।
Post Views: 6