ପଦ୍ମଗିରି ହାଇସ୍କୁଲରେ ଉଦଘାଟନ ହେଲା ମୋ ସ୍କୁଲ ହକି କ୍ଲବ୍ -୨୩ : ସାମିଲ ହେଲେ ଜିଲ୍ଲାର ବିଭିନ୍ନ ସ୍କୁଲର ୧୦୦ ଛାତ୍ରଛାତ୍ରୀ
ମାଲକାନଗିରି(୨୩/୦୮) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ହକିର ପ୍ରଚାର ପ୍ରସାର ପାଇଁ ଏକ ଅଗ୍ରଣୀ ରାଜ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ପଦ୍ମଗିରି ଏସଏସଡି ହାଇସ୍କୁଲ ଠାରେ ମୋ ସ୍କୁଲ୍ ହକି କ୍ଲବ୍ -୨୩ ଶିବିର ଆୟୋଜନ କରାଯାଇଛି।ଏହି ଶିବିରକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି ଉଦଘାଟନ କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୈନନ୍ଦିନ ଜୀବନରେ କ୍ରୀଡାର ଆବଶ୍ୟକତା ରହିଛି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ଏକ କ୍ରୀଡା ପ୍ରତି ରୁଚି ରଖିବା ଆବଶ୍ୟକ ଯାହା ସେମାନଙ୍କର ବୌଦ୍ଧିକ, ମାନସିକ ଏବଂ ଶାରିରୀକ ବିକାଶରେ ସହାୟକ ହୋଇଥାଏ। ଏହା ସହ ରାଜ୍ୟ ସରକାର ଜିଲ୍ଲା ଏବଂ ତୃଣମୂଳ ସ୍ତରରେ ସୃଷ୍ଟି କରିଥିବା ବିଭିନ୍ନ କ୍ରୀଡା ଭିତ୍ତିଭୂମି ଓ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ଵି ସେଠୀ, ପଦ୍ମଗିରି ସରପଞ୍ଚ, ସୁନାଧର ମାଡକାମି, ଅଭିଭାବକ ସଂଘର ସଭାପତି, କୃଷ୍ଣ ଚନ୍ଦ୍ର ମାଡକାମୀ ଓ ଜିଲ୍ଲା ହକି ସଂଘର ସଦସ୍ୟ ଉପସ୍ଥିତ ଥିଲେ।
ସୂଚନା ଥାଉ କି, ପଦ୍ମଗିରି ଏସଏସଡି ହାଇସ୍କୁଲ ଜିଲ୍ଲା ନିମନ୍ତେ ମୋ ସ୍କୁଲ ହକି କ୍ଲବ୍ -୨୩ର ନୋଡାଲ ସ୍କୁଲ୍ ରହିଛି। ମୋ ସ୍କୁଲ ହକି କ୍ଲବ୍ -୨୩ର ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଏହି ଖେଳ ବିଷୟରେ ସେମାନଙ୍କୁ ଅବଗତ କରାଇବା। ସେପ୍ଟେମ୍ବର ୨୦୨୩ ରେ ରାଜ୍ୟ ସରକାର ଉଭୟ ପୁରୁଷ ଏବଂ ମହିଳା ବର୍ଗ ଓଡ଼ିଶା ହକି ଚମ୍ପିୟାନସିପ -୨୩ ଆୟୋଜନ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ମଧ୍ୟ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୦୦ ଜଣ ଉଭୟ ବାଳକ ଓ ବାଳିକା ଏହି ଶିବିରରେ ଯୋଗ ଦେଇଛନ୍ତି। ସେହିପରି ବିଗତ ଓଡ଼ିଶା ହକି ଚାମ୍ପିୟନସିପ -୨୨ ରେ ମାଲକାନଗିରି ଜିଲ୍ଲାର ମହିଳା ବର୍ଗରେ ମମତା ମାଡକାମୀ ଓ ପୁରୁଷ ବର୍ଗରେ କେଶବ ମାଢିଙ୍କର ଉଚ୍ଚକୋଟୀର କ୍ରୀଡା ପ୍ରଦର୍ଶନ ନିମନ୍ତେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେହିପରି ପଦ୍ମଗିରି ଏସଏସଡି ହାଇସ୍କୁଲର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ, ଅକ୍ଷୟ କୁମାରଙ୍କୁ ହକି ଖେଳ ପ୍ରତି ଅବଦାନ ଯୋଗୁଁ ସମ୍ବର୍ଦ୍ଧନା କରାଯାଇଛି।