ଟିପିଓଏସଡିଏଲ ଭିଜିଲାନ୍ସ ଟିମ୍ ଙ୍କୁ ଆକ୍ରମଣ, ଥାନାରେ ଏତଲା

ଆକ୍ରମଣରେ ଲାଇନ୍ ମ୍ୟାନ ଗୁରୁତର
ହିଞ୍ଜିଳିକାଟୁ (୨୫/୭): ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟିପିଓଏସଡିଏଲ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢ଼ାଉ ବେଳେ ଗ୍ରାମର ଏକ ଗୋଷ୍ଠୀ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଜଣେ ଲାଇନ୍ ମ୍ୟାନ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ବରେନ୍ଦ୍ର କୁମାର ନିଶାଙ୍କ । ଆକ୍ରମଣକାରୀ ତାଙ୍କୁ ମାଡ ମାରିବା ସହ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଘଟଣା ନେଇ ଭିଜିଲାନ୍ସ ଏସଡିଓ ନନ୍ଦ କିଶୋର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ – ୫୩୪/୨୩ ରେଳ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।
ଅଭିଯୋଗ ପ୍ରକାରେ, ମଙ୍ଗଳବାର ପୂର୍ବାହ୍ନରେ ଟିପିଓଏସଡିଏଲ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଗତ କିଛି ବର୍ଷ ଧରି ବେଆଇନ ବିଦ୍ୟୁତ୍ ଚୋରୀ ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଥିଲା। ସଂପୃକ୍ତ ଗ୍ରାମର କୃଷ୍ଣ ସାହୁ ବେଆଇନ ଭାବେ ହୁକି କରିବା ସହ ମିଟର ଟ୍ୟାପି କରିଥିଲେ । ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯିବା ସମୟରେ କୃଷ୍ଣ ଉତକ୍ଷିପ୍ତ ହୋଇ କର୍ମଚାରୀ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଗ୍ରାମର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ ।‌ଆକ୍ରମଣରେ ଲାଇନ୍ ମ୍ୟାନ ନିଶାଙ୍କ ଗୁରୁତର ଆହତ ହେବା ସହ ୨ କର୍ମଚାରୀଙ୍କୁ ମୋବାଇଲ ଲୁଟି ନେଇଥିଲେ। ଘଟଣା ପରେ ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚଢ଼ାଉରେ ଭିଜିଲାନ୍ସ ଏସଡିଓ ନନ୍ଦ କିଶୋର ଦାଶଙ୍କ ସମେତ ଟିପିଓଏସଡିଏଲ ଏନଫୋର୍ସମେଣ୍ଟ ମୁଖ୍ୟ ଶୈଳେନ୍ଦ୍ର ସିଂ, ଅର୍ଚ୍ଚିନା ଧଳ, ହିଞ୍ଜିଳିକାଟୁ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ବିଦୁର ବେହେରା ଓ ଟିମ୍ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.