ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର

ଭୁବନେଶ୍ୱର: ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର। ଏବେ ମନ୍ଦିର ଚତୁର୍ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଭାଙ୍ଗିପଡ଼ିଥିବା ଦଧିନଉତି ନୂଆ ତିଆରି ହେବ। ତେବେ ଦଧିନଉତିକୁ ରାଜସ୍ଥାନରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥରରେ ନିର୍ମାଣ କରାଯିବ। ଏଥର ଦଧିନଉତିର ଆକାର ବଡ଼ ହେବ ବୋଲି ସୂଚନା ମିଳିଛି। ତେବେ ନୂଆ ଦଧିନଉତି ନିର୍ମାଣ ହେବା ପର୍ଯ୍ୟନ୍ତ ବାଲିବସ୍ତାରେ ପତାକା ରହିବ ବୋଲି କୁହାଯାଇଛି। ଏହି ମନ୍ଦିର ଦାୟିତ୍ବରେ ଥିବା ଏଏସ୍ଆଇର ଜଣେ ଅଧିକାରୀଙ୍କ କହିବା କଥା ବହୁ ପୂର୍ବରୁ ଏଠାରେ ବଡ଼ ଦଧିନଉତି ଥିଲା। ପରେ ଭାଙ୍ଗିପଡ଼ିବାରୁ ଛୋଟ ଆକାରର ନୂଆ ଦଧିନଉତି ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ତାହା ପୁଣି ଭାଙ୍ଗି ପଡ଼ିଛି। ସମ୍ପ୍ରତି ମନ୍ଦିରର ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିବାରୁ ଦଧିନଉତିକୁ ମନ୍ଦିରର ମୂଳ ଆକାର ଦିଆଯିବ। ପ୍ରଥମରୁ ରାମେଶ୍ବର ମନ୍ଦିର ଚୂଳରେ ଦଧିନଉତି ତଳେ ଦୁଇଟି ପଥରସ୍ତର ଥିଲା। ଭାଙ୍ଗିପଡ଼ିବା ପରେ ଉକ୍ତ ପଥରସ୍ତର ଦିଆଯାଇନଥିଲା।

ଏବେ କିନ୍ତୁ ସ୍ୟାଣ୍ଡ୍ ଷ୍ଟୋନ୍ରେ ପୁଣି ସେହି ପୁରୁଣା ପଥରସ୍ତର କାମ ଆରମ୍ଭ ହୋଇଛି। ଏହା ଉପରେ ବଡ଼ ଆକାରର ଦଧିନଉତି ପ୍ରତିଷ୍ଠା ହେବ। ଏହା ଖଣ୍ଡୋଲାଇଟ୍ ପଥରରେ କରାଯିବ। ଏଥିପାଇଁ ଖଣ୍ଡୋଲାଇଟ୍ ପଥର ବରାଦ କରାଯାଇଛି। ତେଣୁ ପୁରୁଣା ଦଧିନଉତିଠାରୁ ବଡ଼ ଓ ବହୁ ସୁନ୍ଦର ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସେହିପରି ମନ୍ଦିରରେ ଖୁବ୍ ଶୀଘ୍ର ଆର୍ଥିଂ ବ୍ୟବସ୍ଥା କରାଯିବ। ଆର୍ଥିଂ ବ୍ୟବସ୍ଥା ନଥିବାରୁ ବାରମ୍ବାର ବଜ୍ରାପାତରେ ଦଧିନଉତି ଭାଙ୍ଗୁଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଗତ ଶନିବାର ଅପରାହ୍ଣରେ ବଜ୍ରପାତ ଯୋଗୁ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧିନଉତିଟି ସମ୍ପୂର୍ଣ ଭାଙ୍ଗି ପଡ଼ି ମନ୍ଦିର ପରିସର ଚଟାଣରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଏଏସ୍ଆଇ କର୍ମଚାରୀମାନେ ଏହି ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ସଂଗ୍ରହାଳୟରେ ସାଇତି ରଖିଛନ୍ତି। ଏଣେ ଠାକୁରଙ୍କ ନୀତିକାନ୍ତି ସ୍ବାଭାବିକ ହେବା ପାଇଁ ଅସ୍ଥାୟୀଭାବେ ମନ୍ଦିର ଚୁଡ଼ାରେ ବାଲିବସ୍ତା ରଖାଯାଇଛି ଏବଂ ସେଥିରେ ପତାକା ପୋତା ଯାଇଛି।

nis-ad
Leave A Reply

Your email address will not be published.