ହିଂଜିଳିକାଟୁ ଷ୍ଟେଟବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ !

ହିଂଜିଳିକାଟୁ (୧୪ା୭): ହିଂଜିଳିକାଟୁ ଷ୍ଟେଟ ବ୍ୟାଙ୍କର ଜଣେ ଗ୍ରାହକଙ୍କ ସଂଚୟ ଖାତାରୁ ତାଙ୍କର ଅଜାଣତରେ ଏଟିଏମ, ଇ ବ୍ୟାଙ୍କି ଓ ୟୁପିଆଇ ଟ୍ରାନସଫର ମାଧ୍ୟମରେ ଟଙ୍କା ହଡ଼ପ ହୋଇଥିବା ହିଂଜିଳି ଥାନାରେ ଗୁରୁବାର ଅଭିଯୋଗ ହୋଇଛି । ହଡ଼ପର ଶିକାର ଜଣକ ଜଣେ ନିରକ୍ଷର ମହିଳା । ସେ ହେଲେ ହିଂଜିଳିକାଟୁ ବ୍ଳକର ମକରଝୋଳ ଗ୍ରାମର କସ୍ତୁରୀ ନାଇକ । ଆଙ୍ଗୁଠି ଛାପ କରି କାରବାର କରନ୍ତି । ହିଂଜିଳିକାଟୁ ଷ୍ଟେଟ ବ୍ୟାଙ୍କରେ ସରକାରୀଙ୍କ ବିଭିନ୍ନ ଆର୍ଥିକ ସହାୟତା ପାଇବା ସହ କେରଳରେ କାମ କରୁଥିବା ପୁଅ ଓ ବିଶାଖପାଟଣାରେ କାମ କରୁଥିବା ଭାଇ ତାଙ୍କର ଚଳିବା ସହ ଏକ ଜାଗା କିଣିବା ନିମନ୍ତେ କଷ୍ଟ ଅର୍ଜିତ ଟଙ୍କା ଉକ୍ତ ଆକାଉଂଟକୁ ପଠାନ୍ତି । ପୁଅ ଓ ଭାଇଙ୍କ ଟଙ୍କା ଉକ୍ତ ଆକାଉଂଟରେ ରହିବା ସହ ଆବଶ୍ୟକ ଟଙ୍କା ଗଚ୍ଛିତ ହେଲେ ଏକ ଜାଗା କିଣିବା ପାଇଁ କସ୍ତୁରୀ କେବେ ଟଙ୍କା ଉଠାଉ ନଥିଲେ । ପୁଅ ଭାଇ ନିୟମିତ ଟଙ୍କା ପଠାନ୍ତି । ଅନ୍ୟ ପକ୍ଷରେ ଏଟିଏମ କାର୍ଡ଼ ପାଇଁ ସେ କେବେ ଆବେଦନ କରିନାହାନ୍ତି କି ପାଇ ନାହାନ୍ତି । ଇ ବ୍ୟାଙ୍କି ଓ ୟୁପିଆଇ ଟ୍ରାନ୍ସଫର କଣ ସେ କଥା ଆଦୌ ଜାଣନ୍ତି ନାହିଁ । କିନ୍ତୁ କସ୍ତୁରୀ ଜାଗା କଣିବା ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କ ଆସିଥିଲେ । ଖାତାରେ ଆବଶ୍ୟକ ଟଙ୍କା ନ ଥିବା ଜାଣି ତାଜୁବ ହୋଇଗଲେ । ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ତାଙ୍କ ଖାତାରୁ ବିଭିନ୍ନ ସମୟରେ ଏଟିଏମ, ଇ ବ୍ୟାଙ୍କି ଓ ୟୁପିଆଇ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା କାରବାର ଓ ଉଠାଯାଇଛି । ତାଙ୍କ ଅଜାଣତରେ ଏପରି ଗଭୀର ଷଡ଼ଯନ୍ତ୍ର ଓ ଜାଲିଆତି କେହି କରିଛି । ଘଟଣା ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟ ମାନଙ୍କ ବ୍ୟାଙ୍କ ଆକାଉଂଟ କେତେ ସୁରକ୍ଷିତ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ଜାଣିବା ପରେ ଗୁରୁବାର ହିଂଜିଳି ଥାନାରେ କସ୍ତୁରୀ ଏକ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ ।

nis-ad
Leave A Reply

Your email address will not be published.