ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ତାରିଖ ଯାଏ ୟେଲାେ ଆଲର୍ଟ ଜାରି

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୭ଟି ଜିଲ୍ଲାକୁ ୧୦ ତାରିଖ ଯାଏ ୟେଲାେ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଉତ୍ତର ଉପକୂଳ ଜିଲ୍ଲା ସମେତ  ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଲାଗିରହିଛି ବର୍ଷା ।

୧୧ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନଗୁଳ, ଢେଙ୍କାନାଳ, ଜାଜପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ  ଆଦି  ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଚି । ୧୨ ତାରିଖରେ ୧୦ ଜିଲ୍ଲାରେ ବର୍ଷା ହେବ । ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ ।

ସୂଚନା ଥାଉ କି, ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇଛି । ୧ ଜୁନରୁ ଆଜି ଯାଏ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୯୫ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି ।

ବର୍ତ୍ତମାନ ସୁଦ୍ଧା ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିମି ସହ ସବୁଠାରୁ କମ୍‌ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ୍‌ ରହିଛି ।

nis-ad
Leave A Reply

Your email address will not be published.