ପ୍ରତ୍ଯେକ ବୃକ୍ଷରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ: ବିଧାୟିକା କୁସୁମ…


ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ମେଗା ସଚେତନତା ବୈଠକ ଓ ଶ୍ରମଦାନ
ଶ୍ରମଦାନ କରି ବୃକ୍ଷରୋପଣ କଲେ କଟ୍ରା-ବୁଡାବାହାଲ ଗ୍ରାମବାସୀ


ଉଜ୍ଜଳପୁର ବନାଞ୍ଚଳରେ ଆରମ୍ଭ କରାଯିବ “ସ୍ମରଣୀୟ ବୃକ୍ଷରୋପଣ ଅଭିଜାନ”
ସୁନ୍ଦରଗଡ – ୦୬/୦୭/୨୦୨୩
ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାର ମାନଙ୍କ ଜୀବନ ଜୀବିକାର ମାନରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି ଉଜ୍ଜଲପୁର ବନାଞ୍ଚଳର ୩୧ ଟି ବନ ସୁରକ୍ଷା ସମିତିରେ ଚାଲୁଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ। ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ଜଙ୍ଗଲ ସୁରକ୍ଷା କରିବା ତଥା ବିକଳ୍ପ ଜୀବିକାର ସନ୍ଧାନ କରିବା ନିମନ୍ତେ ଏହି ପ୍ରକଳ୍ପ ତରଫରୁ ବନ ସୁରକ୍ଷା ସମିତି ମାଧ୍ୟମରେ ବ୍ୟାପକ ସଚେତନତା କରାଯାଉଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଉଜ୍ଜଳପୁର ବନାଞ୍ଚଳର କଟ୍ରା-ବୁଡାବାହାଲ ବନ ସୁରକ୍ଷା ସମିତି ତରଫରୁ ଆଜି ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ତଥା ଶ୍ରମଦାନ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବପ୍ରଥମେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ବନ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସୁନ୍ଦରଗଡ ବନଖଣ୍ଡ ତରଫରୁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିବା ସହିତ ଆମର ବହୁମୂଲ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାମୁହିକ ଏକତା ଓ ସହଭାଗିତା ଦ୍ଵାରା ଆମର ବହୁମୂଲ୍ୟ ଜଙ୍ଗଲ ସମ୍ପଦର ସୁରକ୍ଷା ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସଦର ବିଧାୟିକା କୁସୁମ ଟେଟେ ଜଙ୍ଗଲ ଓ ପରିବେଶ ସହିତ ମହିଳାମାନେ ଓତଃପ୍ରୋତଃ ଭାବରେ ଜଡିତ ଥିବା ବେଳେ ବହୁମୂଲ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଆଗେଇ ଆସିବାକୁ ମହିଳା ମାନଙ୍କୁ ଆହ୍ଵାନ ଦେଇଥିଲେ। ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ନିମନ୍ତେ ବୃକ୍ଷର ଆବଶ୍ୟକତା ଥିବାରୁ ପ୍ରତ୍ଯେକ ବୃକ୍ଷରେ ଜଗନ୍ନାଥଙ୍କ ବାସସ୍ଥାନ ରହିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ସୁନ୍ଦରଗଡ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ (ଅନୁସନ୍ଧାନ) ଇଂ.ଦାମୋଦର ଦେହୁରିଆ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବୃକ୍ଷରୋପଣକୁ ଏକ ନିଶା ଭାବରେ ଗ୍ରହଣ କରି ଏହାର ଯତ୍ନ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି କଟ୍ରା-ବୁଡାବାହାଲ ବନ ସୁରକ୍ଷା ସମିତିର ସଭ୍ଯ/ସଭ୍ୟାଙ୍କ ଦ୍ଵାରା ଗ୍ରାମ୍ୟ ଜଙ୍ଗଲକୁ ଲାଗିଥିବା ଏକ ଜମିରେ ସାମୁହିକ ଶ୍ରମଦାନ ଦ୍ଵାରା ୫୦୦ ଟି ବୃକ୍ଷରୋପଣ କରାଯାଇଥିଲା ତଥା ଆହୁରି ୫୦୦ ଚାରା ଆଗାମୀ ସପ୍ତାହ ଭିତରେ କରାଯିବ ବୋଲି ବନ ସୁରକ୍ଷା ସମିତିର ସଭାପତି ବସନ୍ତ ପୃଷେଠ ସୂଚନା ଦେଇଛନ୍ତି। ଉଜ୍ଜଲପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ କାର୍ଯ୍ୟକ୍ରମ ସଂଯୋଜନା କରି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଦ୍ଵାରା ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତ୍ରୁତ ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ଚଳିତ ବନ ମହୋତ୍ସବରୁ ଉଜ୍ଜଳପୁର ବନାଞ୍ଚଳର ପ୍ରତ୍ଯେକ ବନ ସୁରକ୍ଷା ସମିତିରେ “ସ୍ମରଣୀୟ ବୃକ୍ଷରୋପଣ ଅଭିଜାନ” ଆରମ୍ଭ କରାଯାଇଛି ବୋଲି ସୂଚନା ଦେଉଥିଲେ। ଏହି ଅଭିଜାନରେ ପ୍ରତ୍ଯେକ ବନ ସୁରକ୍ଷା ସମିତି ସ୍ତରରେ ଜନ୍ମ, ମୃତ୍ୟୁ, ଜନ୍ମ ଦିବସ, ବିବାହ ବାର୍ଷିକୀ ତଥା ତିରୋଧାନ ଦିବସ ଆଦି

ଗୁରୁତ୍ଵପୂର୍ଣ୍ଣ ଦିବସରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବାକୁ ଗାଁ ଗାଁ ରେ ଘରେ ଘରେ ସଚେତନ କରାଯିବ ବୋଲି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ଯତମ ଅତିଥି ଭାବରେ ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ପ୍ରେମସାଗର ନାଏକ, ବନପାଳ ହେମବତୀ ସିଂ ଓ ସନ୍ତୋଷିନୀ ସାହାଣୀ, ବନରକ୍ଷୀ ଚାନ୍ଦନୀ ଦେହୁରିଆ, ମେଘଡେଗା ସମିତି ସଭ୍ୟା କୁମୁଦିନୀ ମାଝୀ, ଯୁବନେତା ଓ ସମାଜସେବୀ ସଂଜୀବ ସିଂ ଓ ମିତ୍ରଭାନୁ ସେଠ ଯୋଗଦାନ କରିଥିଲେ। ଏହି ଅବସରରେ ସହଯୋଗୀ ଅନୁଷ୍ଠାନ ସେବକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ, ଉନ୍ନୟନ ଅଧିକାରୀ ହରିପ୍ରିୟା ନାଏକ ଓ ମନୋରଞ୍ଜନ ମଲ୍ଲିକଙ୍କୁ ସେମାନଙ୍କ ପ୍ରତ୍ଯେକ କାର୍ଯ୍ୟରେ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ନିମନ୍ତେ ବୁଡାବାହାଲ ବନ ସୁରକ୍ଷା ସମିତି ତରଫରୁ ଉତ୍ତରୀୟ ଦେଇ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବନ ସୁରକ୍ଷା ସମିତିର ବସନ୍ତ ପୃଷେଠ, ମଦନ ମୋହନ ଡେଲକି, ସୁଷମା ଭୋଇ, ଝିନା ବଢେକ, ଗଣେଷ ନାଏକ, ରବିରତ୍ନ ଭୋଇ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପରିଚାଲନା କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.