ହିଂଜିଳିକାଟୁ, ୨ା୭ : ଗଂଜାମ ଜିଲ୍ଲା ହିଂଜିଳି ଥାନା ଖରିଡ଼ା ଗ୍ରାମ ଋଷିକୂଲ୍ୟା ନଦୀରୁ ଚୋରା ବାଲି ଉଠାଣ ବେଳେ ମୋବାଇଲରେ ଫଟୋ ଭିଡ଼ିଓ କରି ତହସିଲଦାରଙ୍କୁ ଜଣାଇଥିବା ଜଣେ ବ୍ୟକ୍ତିଙ୍କୁ ବାଲି ମାଫିଆ ମାନେ ମିଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣର ଶିକାର ହେଲେ ଖରିଡ଼ା ଗ୍ରାମର ନିରଂଜନ ପାଢ଼ି । ବାଲି ମାଫିଆମାନେ ନିରଂଜନଙ୍କୁ ତାଙ୍କ ଘର ସାମ୍ନାରେ ମିଳିମିଶି ଆକ୍ରମଣ କରିବା ସହ ସାହିରେ ଭୟଭୀତ କରାଇଥିଲେ । ଭବିଷ୍ୟତରେ ପ୍ରତିବାଦ କଲେ ପ୍ରାଣରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ପାଢ଼ି ହିଂଜିଳି ଥାନାରେ ରବିବାର ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, ହିଂଜିଳିକାଟୁ ତହସିଲ ଅନ୍ତର୍ଗତ ଖରିଡ଼ା ଗ୍ରାମ ଋଷିକୂଲ୍ୟା ନଦୀ ପଠାରୁ ବାଲି ମାଫିଆ ମାନେ ଶହ ଶହ ନଦୀ ବାଲି ଟ୍ରକ ଓ ଟ୍ରାକ୍ଟରରେ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ବାଲି ମାଫିଆ ମାନେ ଚୋରା ଚାଲାଣ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରିଛନ୍ତି । ଗତ ମାସ ୧୭ତାରିଖ ସଂଧ୍ୟାରେ ଖରିଡ଼ା ଋଷିକୁଲ୍ୟା ନଦୀରୁ ଚୋରାରେ ବାଲି ଉଠା ଯାଉଥିବା ବେଳେ ନିରଂଜନ ମୋବାଇଲରେ ଫଟୋ ଓ ଭିଡ଼ିଓ କରିଥିଲେ । ପରେ ସେ ଚୋରା ବାଲି ଚାଲାଣ ନେଇ ତହସିଲଦାରଙ୍କୁ ଫୋନରେ ଜଣାଇଥିଲେ । କୌଣସି ସୂତ୍ରରୁ ନିରଂଜନ ଚୋରାବାଲି ଉଠାଣ ନେଇ ସୂଚନା ଦେଇଥିବା ଜାଣି ହିଂଜିଳି ଥାନା ଶିକିରି ଗ୍ରାମର ୨ ରୁ ୩ଜଣ ବାଲି ମାଫିଆ ରବିବାର ନିରଂଜନଙ୍କ ଘର ସାମ୍ନାକୁ ଆସି ଗାଲିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ସୂଚନା ଥାଉ କି, ହିଂଜିଳିକାଟୁ ଅଂଚଳର ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀର ସିଙ୍ଗିପୁର, ଚାନ୍ଦୁଲି, ଖରିଡ଼ା,ଶିକିରି, ଗିରିଆ, ନନ୍ଦିକ, ଦୟାନିଧିପୁର ଶାସନ ପ୍ରଭୃତି ନଦୀ ଘାଟରୁ ପ୍ରତିଦିନ ଶହ ଶହ ଟ୍ରକ ଟ୍ରାକ୍ଟର ନଦୀବାଲି ଉଠାଣ ହେଉଛି । ବହୁ ସ୍ଥାନରେ ବାଲି ମାଫିଆ ମାନେ ବେନିୟମ ଭାବେ ସରକାରଙ୍କ ରାଜସ୍ୱ ଫାଙ୍କି ବାଲି ଚୋରାରେ ଚାଲାଣ କରୁଛନ୍ତି । ହିଂଜିଳିକାଟୁ ଅଂଚଳର କିଛି ଜନପ୍ରତିନିଧି ଓ ସେମାନଙ୍କ ସମ୍ପର୍କୀୟଙ୍କ ସିଧାସଳଖ ଏହି ଚୋରାବାଲି କାରବାରରେ ସଂପୃକ୍ତି ଥିବା ଅଭିଯୋଗ ହୋଇ ଆସୁଛି । କିଛି ତଳିଆ ସରକାରୀ କର୍ମଚାରୀଙ୍କୁ ହାତ ବାରିସ କରି ବାଲି ମାଫିଆ ମାନେ ଏହି କାରବାର ଚଳାଇଥିବା ଅଭିଯୋଗ ହେଉଛି । ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ବାଲି ମାଫିଆ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଲୋକଙ୍କୁ ଭୟଭୀତ କରାଉଛନ୍ତି । ବାଲି ମାଫିଆଙ୍କ ଦୌରାତ୍ୟ୍ମରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପୂର୍ବରୁ ଅସନ୍ତୁଷ୍ଟ ଜନ ସାଧାରଣ ବିକ୍ଷୋଭ, ଜଳାପୋଡ଼ା. ରାସ୍ତାରୋକ ଓ ଥାନା ଘେରାଉ ଭଳି ବଡ଼ ଧରଣର ପଦକ୍ଷେପ ନେଇଛନ୍ତି । ତେବେ ବାଲି ମାଫିଆ ମାନେ ବାରମ୍ବାର ବେନିୟମ ଭାବେ ଏହି ଚୋରା କାରବାର ଚଳାଉଥିବା ଅଭିଯୋଗ ହେଉଛି । ।
Sign in
Sign in
Recover your password.
A password will be e-mailed to you.
Prev Post
Next Post