ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ


ଫୁଲବାଣୀ : ଅସୁବିଧା ମଧ୍ୟରେ ରହିଥିବା ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠିତ ଜିଲ୍ଲା ଟାସ୍କଫୋର୍ସ କମିଟି କାର୍ଯ୍ୟ ଯୋଜନା ଗୁଡ଼ିକର ସମୀକ୍ଷା ଓ ଆସନ୍ତା ତିନି ମାସ ପାଇଁ ହେବାକୁ ଯାଉଥିବା କାର୍ଯ୍ୟ ଯୋଜନା ପାଇଁ ଆଲୋଚନା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍‌ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢାନ୍ତୁ ଯୋଜନା ଉପରେ ଆଲୋଚନା କରାଯାଇ ଥିଲା। ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ରଶ୍ମିତା କରନ୍‌ଙ୍କ ଆଲୋଚନାରୁ ଜଣାପଡ଼ିଛିଯେ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ଜାତୀୟ ଅଭିଯାନ ଏବଂ ଏକ ମିଳିତ ଉଦ୍ୟମ । ଯୋଜନାର ଲକ୍ଷ୍ୟ ହେଲା କନ୍ୟା ସନ୍ତାନ ମାନଙ୍କୁ ପାଳନ କରିବା ଏବଂ ଶିକ୍ଷା ଦେବା। ସେହିପରି, ଏହି ଯୋଜନାର ଉଦ୍ଦେଶ୍ୟ ହେଲା, କନ୍ୟା ସନ୍ତାନର ବଞ୍ଚିବା ଓ ସୁରକ୍ଷା ସୁନିଶ୍ଚିତ କରିବା, ସେମାନଙ୍କର ଶିକ୍ଷା ଓ ପ୍ରତ୍ୟେକ କାର୍ଯ୍ୟରେ ଅଂଶ ଗ୍ରହଣ ସୁନିଶ୍ଚିତ କରିବା, ଝିଅମାନଙ୍କୁ ସେମାନଙ୍କ ମତ ପ୍ରକାଶ କରିବାକୁ ଉତ୍ସାହିତ କରିବା, ଲିଙ୍ଗଗତ ସମାନତା ପାଇଁ ଦୀର୍ଘମିଆଦୀ ହସ୍ତକ୍ଷେପ ବୋଲି ଆଲୋଚନାରୁ ଜଣାପଡ଼ିଛି ।ଗର୍ଭଧାରଣ ପୂର୍ବରୁ ଓ ପ୍ରସବ ପୂର୍ବ ନିଦାନ କୌଶଳ(ଲିଙ୍ଗ ଚୟନ ନିଷେଧ) ଆଇନ, ୧୯୯୪ ଉପରେ ଆଲୋଚନା କରାଯିବା ସହିତ ୨୦୦୩ରେ ହୋଇଥିବା ସଂଶୋଧନର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ବୈଠକରେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ଏବଂ ବାଲ୍ୟ ବିବାହ ଶିଶୁ ଅଧିକାରକୁ ଉଲ୍ଲେ ଘନ କରୁଥିବାରୁ ଏହାକୁ ରୋକିବାରେ ଆଇନରେ କି କି ଦଣ୍ଡବିଧାନ କରାଯାଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ମହିଳା ଓ ଶିଶୁ ଚୋରା ଚାଲାଣ ଉପରେ ଆଲୋଚନା ବେଳେ ଜଣାପଡ଼ିଛି ଯେ, ଘରୋଇ କାମ ପାଇଁ, ଅଙ୍ଗ ପ୍ରତ୍ୟାରୋପଣ ପାଇଁ, ଫଟୋ ପ୍ରଦର୍ଶନୀ ପାଇଁ, ଶିଶୁ ଶ୍ରମିକ, ସେକ୍ସ ଇଣ୍ଡଷ୍ଟ୍ରିର ପ୍ରୋତ୍ସାହନ ଇତ୍ୟାଦି ପାଇଁ ନାବାଳିକା ଓ ଶିଶୁମାନଙ୍କୁ ଚୋରା ଚାଲାଣ କରାଯାଉଛି । ସେଥିପାଇଁ ସେମାନଙ୍କୁ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି, ଅଭିନେତା ବା ଅଭିନତ୍ରୀ କରିଦେବା ପାଇଁ କିମ୍ବା ଚାକିରି ଦେବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥାଏ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଧମକ ,ଅପହରଣ ଓ ବ୍ଲାକ୍ ମେଲ୍ କରାଯାଇଥାଏ। ସେମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛିବୋଲି ଜିଲ୍ଲାପାଳ କହିଥିଲେ। ଏଥିପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଏହି ଦିଗରେ କାର୍ଯ୍ୟ କରୁଥ‌ିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି, ସ୍ଵାତୀ, ସାହାରା, ପ୍ରେମ୍, ଜାଗୃତି, ସେଭ୍ ଦି ଚିଲ୍‌ଡ୍ରେନ୍, ସୁଭଦ୍ରା ମହତାବ ସେବା ସଦନ, ଆକ୍ସନ୍ ଇଣ୍ଡିଆ, ଉତ୍କଳ ବାଳାଶ୍ରମ ଇତ୍ୟାଦିର ମୁଖ୍ୟମାନଙ୍କର ସହଯୋଗ କାମନା କରିଥିଲେ। ସେମାନଙ୍କ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗ ରହିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ଜିଲ୍ଲା ଶ୍ରମ ଅଧିକାରୀ ତେଜ୍ କୁମାର ବାଗେଙ୍କ ଆଲୋଚନାରୁ ଜଣାପଡ଼ିଛିଯେ, ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି । ହୋଟେଲ ଓ ଢାବା ମାନଙ୍କରେ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଭଳି ଲେଖାଯାଇଥ‌ିବା ପୋଷ୍ଟର ମରାଯାଇଛି । ଚଳିତ ମାସ ୨୩ ତାରିଖରୁ ଦାରିଙ୍ଗବାଡ଼ି, କେ ନୂଆଗାଁ, ବାଲିଗୁଡ଼ା ଓ ଘୁ. ଉଦୟଗିରି ବ୍ଲକ୍‌ରେ ସଚେତନତା ରଥ ବୁଲୁଛି।
ଉକ୍ତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ, ଶିଶୁ ମଙ୍ଗଳ ସମିତିର ର ଅଧ୍ୟକ୍ଷ ରଜତ ଦିଗାଲ, ତେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.