ପୋଲ କାମ ଅପୂର୍ଣ୍ଣାଙ୍ଗରୁ ୪ ଗ୍ରାମବାସୀଙ୍କ ଗମନାଗମନରେ ସମସ୍ୟା

ଦାରିଙ୍ଗବାଡ଼ି (୨୬/୦୬): ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ମେରାମା ଛକ ଠାରୁ ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ଐତିହାସିକ ତୀର୍ଥସ୍ଥଳୀ ତମାଙ୍ଗି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୧୪ କି.ମି ରାସ୍ତା ବିଶେଷ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଏହିରାସ୍ତାର ଡମା ଗ୍ରାମ ନିକଟ ପେରମାଲା ନାଳରେ ନିର୍ମାଣ ଚାଲିଥିବା କଲଭେଟ କାମ ଅପୂର୍ଣାଙ୍ଗ ହୋଇଥିବାରୁ ଯାତ୍ରୀବାହୀ ବସ ସହିତ ଚାରି ଚକିଆ ଯାନ ବାହାନ ଚଳା ଚଳରେ ସମସ୍ୟା ଦେଖାଦେଇଛି। ପ୍ରଥମତଃ ଏହି ରାସ୍ତା ବହୁତ୍ ପୁରୁଣା ହୋଇଥିବାରୁ ମରାମତି ଦ୍ବାରା କାମ ଚଳୁ ନାହିଁ । ରାସ୍ତାରେ ହୋଇଥିବା ଗାତ ଗୁଡ଼ିକ ଯେତେ ମରାମତି କଲେ ସୁଦ୍ଧା ତାହା କାମ ଦେଉ ନାହିଁ, ବରଂ ତାହା ବଡ଼ ହେବା ସଙ୍ଗେ ସଙ୍ଗେ ନୂଆ ଗାତ ସୃଷ୍ଟି ହେଉଛି। ବିଶେଷ କରି ବର୍ଷା ପାଣି ରାସ୍ତାକୁ ଧୋଇ ଅଧିକ ଦୁର୍ବଳ କରୁଛି। ତାମାଙ୍ଗି ଯିବା ପାଇଁ ଏକ ପିଚୁ ରାସ୍ତା ଅଛି କିନ୍ତୁ ରାସ୍ତା ଖରାପ ଥିବା ସହିତ ଡମା ଗ୍ରାମ ନିକଟ ପେରମାଲା ନାଳରେ ତିଆରି ହେଉଥିବା ପୋଲ କାମ ପୂର୍ଣ୍ଣାଙ୍ଗ ହୋଇ ନଥିବାରୁ ବାଧ୍ୟ ହୋଇ କସବସା ସାହି ମଝିରେ ବିପଦ ସଙ୍କୁଳ ପରିସ୍ଥିତିରେ ସମସ୍ତ ଯାନ ବାହାନ ଗୁଡିକ ଯାତାୟାତ କରୁଛି। ସାହି ମଝି ଦେଇ ଭାରି ଯାନ ଯାତାୟାତ କରିବା ସମ୍ଭବ ନଥିଲେବି ଉପାୟ ଶୂନ୍ୟ ହୋଇ ଯିବାକୁ ବାଧ୍ୟ ହେଉଥିବା ଜଣା ପଡ଼ିଛି। ସାହି ରାସ୍ତାରେ ଭାରିଯାନ ଯାତାୟାତ ଦ୍ବାରା ସାହି ରାସ୍ତା ଦବି ଖାଲ ସୃଷ୍ଟି ହେଉଛି। ସେହିପରି ପୋଲ କାମ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ପ୍ରାୟ ୪ ମାସରୁ ଉର୍ଦ୍ଧ ଦିନ ଧରି ତାମାଙ୍ଗି ଗ୍ରାମକୁ ଯାଉଥିବା ଓ.ଏସ୍. ଆର୍.ଟି.ସି (ରାଜ୍ୟ ପରିବହନ) ବସ ଯାଇ ପାରୁ ନାହିଁ । ଯାହା ଫଳରେ ତାମାଙ୍ଗୀ, କସପଙ୍କା, କୁମ୍ଭାରିପଦର ଓ ପିଡ଼ିକାରିପି ଗ୍ରାମବାସୀ ବ୍ଲକ, ତହସିଲ୍, କୋଟ ଭଳି ଜରୁରୀ କାମରେ ବସ ଯାତାୟାତର ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦାବୀ କରିଛନ୍ତି। ଚାରି ଗ୍ରାମ ବାସୀଙ୍କ ଗମନା ଗମନର ସୁବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନଙ୍କ ନିକଟରେ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.