ରାଜ୍ୟ ଦୌଡକୁଦ ପ୍ରତିଯୋଗିତାରେ ୬୪ ପଦକ ପାଇ ସୁନ୍ଦରଗଡ ଉପବିଜେତା…

ସୁନ୍ଦରଗଡ ଖେଳାଳୀଙ୍କ ୭ ଟି ନୂଆ କୀର୍ତ୍ତିମାନ
ସୁନ୍ଦରଗଡ – (୨୬/୦୬) : ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଖେଳପଡିଆ ଠାରେ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଦିନ ଉଦଯାପିତ ହୋଇଥିବା ୬୯ତମ ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତାରେ ସୁନ୍ଦରଗଡର ଖେଳାଳୀ ୨୭ ସ୍ଵର୍ଣ୍ଣ, ୨୦ ରୌପ୍ୟ ଓ ୧୭ କାଂସ୍ୟ ପଦକ ସହିତ ମୋଟ ୬୪ ଟି ପଦକ ହାସଲ କରି ରାଜ୍ୟରେ ଉପବିଜେତା ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କରି ସୁନ୍ଦରଗଡରୁ ଟିମ୍ ମ୍ୟାନେଜର ପ୍ରଶାନ୍ତ କୁମାର ପଟେଲ ଓ ପ୍ରଶିକ୍ଷକ ନମିତା ଏକ୍କା, ପ୍ରିୟଙ୍କା ଏକ୍କା ଓ ସୁନିଲ ଭୋଇ ଙ୍କ ନେତୃତ୍ୱରେ ୪୯ ବାଳକ ଓ ୬୮ବାଳିକା ମୋଟ ୧୧୭ ଖେଳାଳୀ ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିଲେ। ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଦୌଡକୁଦ ପ୍ରତିଯୋଗିତାରେ ପ୍ରଥମ ଦିନରୁ ହିଁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ସୁନ୍ଦରଗଡର ଖେଳାଳୀ ସ୍ଵର୍ଣ୍ଣ ପଦକ ଜିତିବା ଆରମ୍ଭ କରିଥିଲେ ।

ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସୁନ୍ଦରଗଡର ୧୮ ବର୍ଷରୁ କମ୍ ବାଳିକା ୧୮ ପଦକ ଏବଂ ୨୦ ବର୍ଷରୁ କମ୍ ବାଳିକା ୧୦ ପଦକ ପାଇ ଗ୍ରୁପ୍ ଚାମ୍ପିଅନ ହୋଇସୁନ୍ଦରଗଡ କ୍ରୀଡ଼ା ଦିଗନ୍ତରେ ଏକ ନୂତନ ସୂର୍ଯ୍ୟୋଦୟର ଅୟମାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ସୁନ୍ଦରଗଡର ଖେଳାଳୀ ୧୬ ବର୍ଷରୁ କମ୍ ବାଳକ ବର୍ଗରେ ମଙ୍ଗଳ ସିଙ୍କୁ ୮୦ ମିଟର ହର୍ଡଲସରେ, ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ତୁଳସୀ ବାଗ ୩୦୦ ମିଟର ଦୌଡରେ, ୨୦ ବର୍ଷରୁ କମ୍ ବାଳିକା ବର୍ଗରେ ସବିତା ଟପ୍ପୋ ୧୦୦ ମିଟର ହର୍ଡଲସରେ, ମେରୀ ମୁକ୍ତା ସୋରେଙ୍ଗ ଟ୍ରିପଲ୍ ଜମ୍ପ୍ ରେ ,୨୩ ବର୍ଷରୁ କମ୍ ବାଳକ ବର୍ଗରେ ଅନମୋଲ କେରକେଟା ୪୦୦ ମିଟର ଦୌଡରେ , ୨୩ ବର୍ଷରୁ କମ୍ ବାଳିକା ବର୍ଗରେ ସୁସ୍ମିତା ତିଗ୍ଗା ୮୦୦ ମିଟର ଦୌଡ ଓ ୧୫୦୦ ମିଟର ଦୌଡରେ ନୂତନ ରାଜ୍ୟ ରେକର୍ଡ ସୃଷ୍ଟି କରି ଆଣିଦେଇଛନ୍ତି ସୁନ୍ଦରଗଡ ପାଇଁ ଅନନ୍ୟ ଗୌରବ। ଏହି ପ୍ରତିଯୋଗିତାରେ ସୁନ୍ଦରଗଡରୁ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ବାଳିକା ବିଭାଗରେ ୪୧ ଓ ବାଳକ ବିଭାଗରେ ୨୩ ଟି ପଦକ ହାସିଲ କରିଛନ୍ତି। ତନ୍ମଧ୍ୟରୁ ବାଳକ ବିଭାଗରେ ୭ ଓ ବାଳିକା ବିଭାଗରେ ୨୦ ସ୍ଵର୍ଣ୍ଣ ପଦକ ଜିତି ସୁନ୍ଦରଗଡର କ୍ରୀଡ଼ାର ଉତ୍କର୍ଷକୁ ପ୍ରତିପାଦିତ କରିଥିଲେ। ସୁନ୍ଦରଗଡ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଖେଳାଳୀ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ବହିଦାର, ଉପସଭାପତି ପୌଷଚନ୍ଦ୍ର ପଟେଲ, ରାଧାମୋହନ ନାଏକ, ବିଭୂଦତ୍ତ ବେହେରା, ବିମଳ ବୋଷ, ଦୌଡକୁଦ ସମ୍ପାଦକ ଅଜୟ ବହିଦାର ଏବଂ ସଦସ୍ୟ ବାସୁଦେବ ବାନାର୍ଜୀ, ନିତ୍ୟ କୁମାର ବଳ ତଥା ବିଶ୍ବରଂଜନ ହୋତା ଶୁଭେଚ୍ଛା ଜଣାଇବା ସହିତ ଖେଳାଳିଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଛନ୍ତି।

nis-ad
Leave A Reply

Your email address will not be published.