ରାଜ୍ୟ ଖେଳାଳୀଚୟନରେ ସୁନ୍ଦରଗଡର ଉତ୍କୃଷ୍ଟ ପ୍ରଦର୍ଶନ

ସୁନ୍ଦରଗଡ : ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସିଏସନ୍ ଆନୁକୁଲ୍ୟରେ ଜୁନ୍ ୨୪ ଓ ୨୫ ଦିନ ଚାଲିଥିବା ଷଷ୍ଠ କନିଷ୍ଠ ଓ ଉପକନିଷ୍ଠ ବାଳକ ଓ ବାଳିକା ଚୟନ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ମୁଷ୍ଟିଯୁଦ୍ଧ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିଣି ନେଇଛି। ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଖେଳାଳୀ ଆସନ୍ତା ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ରାଜ୍ୟ ଦଳରେ ସାମିଲ ହେବେ। ପ୍ରାପ୍ତ ସୂଚନା ଅନୁଯାୟୀ କନିଷ୍ଠ ଦଳ ଆସନ୍ତା ଜୁଲାଇ ୮ରୁ ୧୪ ଯାଏଁ ଇଟାନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଉପ କନିଷ୍ଠ ଦଳର ଗୁଡ଼ି କିଷାନ (୫୦-୫୨ କି.ଗ୍ରା) ବର୍ଗରେ ସ୍ଵର୍ଣ୍ଣ , ପୁନମ ବାରିକ (୪୨-୪୪ କି. ଗ୍ରା) ଓ ହାର୍ଦ୍ଦିକ କବି( ୬୧-୬୪ କି. ଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି କନିଷ୍ଠ ବର୍ଗରେ ବିଦ୍ୟା ନାଏକ (୫୨-୫୪ କି.ଗ୍ରା), ଶୁଭ୍ରାଂଶୁ ନାଥ (୫୪-୫୭ କି.ଗ୍ରା) ଓ ଆୟୁଷ ମୁଣ୍ଡା (୮୦+ କି.ଗ୍ରା) ସ୍ଵର୍ଣ୍ଣ; ସ୍ଵିଟି ସାରୋନ ତୀର୍କି (୫୦-୫୨ କି.ଗ୍ରା) ଓ ଭାରତୀ ଧନ୍ଵାର (୪୮-୫୦ କି.ଗ୍ରା) ରୌପ୍ୟ; ପ୍ରକାଶ ଡୁଙ୍ଗଡୁଙ୍ଗ (୪୬-୪୮ କି.ଗ୍ରା) ଓ ଅନୁଜ ଅସ୍ମିତ୍ ତିର୍କୀ ( ୫୨-୫୪ କି.ଗ୍ରା)ରେ କାଂସ୍ୟ ପଦକ ହାସଲ କରିଛନ୍ତି।

ଖେଳାଳୀମାନଙ୍କ ଏହି ଅଭୂତପୂର୍ବ ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ସଂସଦ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସୂଚନା ପ୍ରାପ୍ତ ହେଲା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ଏବଂ ଅଭିନନ୍ଦନର ସୁଅ ଛୁଟି ଚାଲିଛି। ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ାପ୍ରେମୀ ଏହି ସଫଳତା ପାଇଁ ସମସ୍ତ ଖେଳାଳୀ, ମ୍ୟାନେଜର, ପ୍ରଶିକ୍ଷକଙ୍କୁ ସାଧୁବାଦ୍ ଜଣାଇଛନ୍ତି।ପ୍ରକାଶଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ଜିଲ୍ଲାଦଳକୁ ସୁଭଦ୍ରା ସିଂହ ଓ ବନମାଳୀ ସୁନାନି ଚୟନ କରିଥିବା ବେଳେ ଦଳ ସହିତ ଏମ୍.ଡି ନକି ରାଜା ଓ ଅର୍ପିତା ପାତ୍ର ମ୍ୟାନେଜର ଏବଂ ପ୍ରଶିକ୍ଷକ ରୂପକ ପ୍ରସାଦ ରହିଥିଲେ। ଏହି ଅଭୂତପୂର୍ବ ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ବକ୍ସିଂ ସମ୍ପାଦକ ଅରବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ବହିଦାର, ଉପସଭାପତି ପୌଷଚନ୍ଦ୍ର ପଟେଲ ଓ ରାଧାମୋହନ ନାଏକ ତଥା ସଦସ୍ୟ ବିମଳ ବୋଷ ଏବଂ ବିଶ୍ବରଂଜନ ହୋତା ସମସ୍ତ ଖେଳାଳୀ, ମ୍ୟାନେଜର ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

nis-ad
Leave A Reply

Your email address will not be published.