ଆଶ୍ରମରେ ଅନାଥ ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରୁଥିବା ସାଧୁ ଗିରଫ

ହାଇଦ୍ରାବାଦ: ଜନୈକା ଅନାଥ ୧୫ ବର୍ଷୀୟା ନାବାଳିକାଙ୍କୁ ଆଶ୍ରମରେ ଅନେକ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ଜଣେ ସାଧୁ ସୋମବାର ରାତିରେ ଗିରଫ ହୋଇଛନ୍ତି। ବିଶାଖାପାଟଣାର ଭେଙ୍କୋଜିସ୍ଥିତ ଜ୍ଞାନନନ୍ଦ ଆଶ୍ରମର ପ୍ରଶାସକ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କୁ ବିଜୟୱାଡ଼ାରେ ଜଣେ ନାବାଳିକାଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୂର୍ଣ୍ଣାନନ୍ଦ ସରସ୍ୱତୀ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ତେବେ, ପୀଡ଼ିତା ନାବାଳିକା ଜଣକ କୌଶଳ କ୍ରମେ ଆଶ୍ରମରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଏବଂ ବିଜୟୱାଡ଼ାରେ ପହଞ୍ଚି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ।
ନାବାଳିକା ଜଣକ ଛୋଟ ଥିବା ବେଳେ ତାଙ୍କ ପିତାମାତାଙ୍କ ମୃତ୍ୟୁ ଘଟିଥିଲା ଏବଂ ଦୁଇ ବର୍ଷ ତଳେ ତାଙ୍କ ଜେଜେମା ଆଶ୍ରମରେ ତାଙ୍କୁ ଛାଡି ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ କହିଛନ୍ତି।
ନାବାଳିକାଟିର ପିତାମାତା କିମ୍ବା ଅଭିଭାବକ ନଥିବାରୁ ତାଙ୍କ ସ୍ଥିତିର ଫାଇଦା ଉଠାଇ ସାଧୁ ପୂର୍ଣ୍ଣାନନ୍ଦ ସରସ୍ୱତୀ ଆଶ୍ରମ ଭିତରେ ଗତ କିଛି ମାସ ହେବ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫ ସାଧୁ ପୂର୍ଣ୍ଣାନନ୍ଦଙ୍କୁ ଖୁବଶୀଘ୍ର ବିଚାର ବିଭାଗୀୟ ହାଜତକୁ ପଠାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

nis-ad
Leave A Reply

Your email address will not be published.