ଜି ୨୦ କୃଷି ମନ୍ତ୍ରୀ ମାନଙ୍କର ବୈଠକରେ ପ୍ରଶଂସିତ ହେଲା ସ୍ଵାଭିମାନ ଅଞ୍ଚଳର ହଳଦୀ

ସ୍ଵାଭିମାନ ହଳଦୀ କିଣିଲେ ସାତଟି ରାଷ୍ଟ୍ରର କୃଷି ମନ୍ତ୍ରୀ, ଜୈବିକ ହଳଦୀ ଗୁଣ୍ଡକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ମାଲକାନଗିରି (୧୮.୦୬) : ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଖୁସିର ବିଷୟ। ସ୍ଵାଭିମାନ ଅଞ୍ଚଳର ହଳଦୀ ଚାଷ ଦେଶ ବିଦେଶରେ ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ନିକଟରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିବା ଜି ୨୦ କୃଷି ମନ୍ତ୍ରୀ ମାନଙ୍କର ବୈଠକରେ ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦନ ହେଉଥିବା ହଳଦୀ ଗୁଣ୍ଡକୁ ଖୁବ୍ ଆଦୃତି ମିଳିଛି । ଏହି ସମ୍ମିଳନୀରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ସିଂ ତମାର ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଜୈବିକ ହଳଦୀକୁ ଖୁବ୍ ପ୍ରଶଂସା କରିଛନ୍ତି। ଉତ୍ତମ ଗୁଣବତ୍ତା ସମ୍ପନ୍ନ ଜୈବିକ ହଳଦୀ ଚାଷ କୁ ପ୍ରୋତ୍ସାହନ କରି ଉତ୍ପାଦକୁ ସୁନ୍ଦର ପାକେଜିଂ ସହ ଜାତୀୟ ବଜାରରେ ବିକ୍ରୀ ପାଇଁ ପ୍ରସ୍ତୁତ କରୁଥିବାରୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦିଲ୍ଲୀ ରେ ମଧ୍ୟ ଏହି ସ୍ଵାଭିମାନ ହଳଦୀ ର ବିକ୍ରୀବଟା ପାଇଁ ଏକ ଆଉଟଲେଟ ଖୋଲାଯିବ ବୋଲି ସୂଚନା ମିଳିଛି। ଏହା ଆଦିବାସୀ ଅଧ୍ୟୁଷିତ ସ୍ଵାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଜୀବନ ଜୀବିକା ଯୋଗାଇବା ସହ ସେମାନଙ୍କୁ ସଶକ୍ତିକରଣ କରିବାରେ ସହାୟକ ହୋଇପାରିଛି ଏବଂ ବିଶ୍ବ ଦରବାରରେ ଏହି ଉତ୍ପାଦର ବିକ୍ରୀ ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ବୋଲି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ସୂଚନା ଦେଇଛନ୍ତି। ସୂଚନା ଥାଉ କି ସ୍ଵାଭିମାନ ଅଞ୍ଚଳରେ ଚାଷ ହେଉଥିବା ହଳଦୀରେ ସାଧାରଣତଃ ୬ ରୁ ୮ ପ୍ରତିଶତ କର୍କୁମିନ ରହିଥାଏ। ଯେତେେଳେ କି ଅନ୍ୟ ହଳଦୀରେ ୧ରୁ ୩ ପ୍ରତିଶତ କର୍କୁମିନ ଥାଏ। ସ୍ଵାଭିମାନ ଅଞ୍ଚଳର ଗଡପଦର, ବଡ଼ପଡ଼ା, ପାପରମେଟଲା, ଜଡ଼ାଆମ୍ୱ ଓ ରାଲେଗଡ଼ା ଅଞ୍ଚଳର ଜଙ୍ଗଲ ଜମିରେ ଏହି ଚାଷ କରାଯାଉଛି। ଏହି ଅଞ୍ଚଳର ୫୦୦ରୁ ଅଧିକ ଆଦିବାସୀ ମହିଳା ୬ ଟି ଉତ୍ପାଦକ ଗ୍ରୁପ୍ରେ ସାମିଲ ହୋଇ ଏହି ଚାଷ କରୁଛନ୍ତି। ଏଥି ନିମନ୍ତେ ଓରମାସ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି। ଏହି ହଳଦୀକୁ ଓରମାସ ପକ୍ଷରୁ ସ୍ଵାଭିମାନ ହଳଦୀ ନାମରେ ପାକେଜିଂ କରାଯାଇଛି। ବିଶେଷ କରି ଏହା ଆଦିବାସୀ ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ଏବଂ ଏହା ସଂପୂର୍ଣ୍ଣ ରୂପେ ଜୈବିକ ହୋଇଥିବାରୁ ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ହଲାଣ୍ଡ, ନେଦରଲାଣ୍ଡ, ଓମାନ ଏବଂ ୟୁଏଇ ରାଷ୍ଟ୍ରର କୃଷି ମନ୍ତ୍ରୀ ମାନେ ସ୍ଵାଭିମାନ ହଳଦୀକୁ କିଣି ଖୁବ୍ ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀରେ କୃଷି ର ବିକାଶ ରେ ମହିଳା ମାନଙ୍କର ନେତୃତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ସ୍ଵାଭିମାନ ଅଞ୍ଚଳରେ ହଳଦୀ କ୍ଲୋଷ୍ଟର କରାଯାଇ ଓରମାସ ପକ୍ଷରୁ ସମସ୍ତ ପ୍ରକାର ସାଧନ ଯୋଗାଇ ଦିଆଯାଉଛି। ସ୍ଵାଭିମାନ ଅଞ୍ଚଳରେ ସେଣ୍ଟ୍ରାଲ ଇଁଷ୍ଟିଟ୍ୟୁଟ ଅଫ୍ ମେଡିସିନାଲ୍ ଏଣ୍ଡ ଏରୋମେଟିକ ପ୍ଲେଣ୍ଟସ ( ସିମାପ) ସହ ଯୋଗାଯୋଗ କରାଯାଇ ସିମ୍ ପିତାମ୍ବର ନାମକ ଏକ ନୂଆ କିସମର ହଳଦୀ ଚାଷ ଆରମ୍ଭ କରାଯାଇଛି । ଯେଉଁଥିରେ କର୍କୁମୀନ ଅଧିକ ପରିମାଣରେ ରହିଥାଏ।

nis-ad
Leave A Reply

Your email address will not be published.