ବୟସର ଅପରାହ୍ନରେ ଜାତୀୟ ରାଜପଥ କଡ଼ରେ ବିପଦ୍ଜନକ ଅବସ୍ଥାରେ ବିତୁଛି ବୃଦ୍ଧାଙ୍କ ଅବଶିଷ୍ଟ ଜୀବନ…


ମାଲକାନଗିରି:(୦୫/୦୬/୨୦୨୩) କଥାରେ ଅଛି ୧୦ଖଣ୍ଡ ପୁରାଣ ଲେଖିବା ଯେତିକି କଷ୍ଟ ଗୋଟିଏ ସନ୍ତାନ ପ୍ରସବ କରିବା ତା’ଠାରୁ ଢ଼େର ଅଧିକା ଯନ୍ତ୍ରଣା ଦାୟକ। ନଅ ମାସ ଦଶ ଦିନ ଗର୍ଭରେ ଧାରଣ କରି ଯେଉଁ ମାଆ ଜନ୍ମ ଦେଇଥାଏ ସନ୍ତାନକୁ , ବୟସର ଅପରାହ୍ନରେ ଜରାଜୀର୍ଣ୍ଣ ଅବସ୍ଥାରେ ସେ ମାଆକୁ ଅଲୋଡ଼ା ମନେ କରି ନିଜ ଠାରୁ ଦୁରେଇ ଦିଏ ଏ ମଣିଷ। ଏଭଳି ଏକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସୋରିଷମାଳ ଗାଁ ନିକଟବର୍ତ୍ତୀ ଏକ ଜଙ୍ଗଲ ନିକଟରେ । ମାଲକାନଗିରିକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ ପାଖରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ପ୍ରାୟ ୭୦/୮୦ ବର୍ଷ ବୟସର ବୃଦ୍ଧା ଅନ୍ଧାରର ଛାତି ଚିରି ଜହ୍ନ ରାତିର ଆକାଶକୁ ହିଁ ଛାତ ଭାବିନେଇ ଆଶ୍ରୟ ନେଇଛନ୍ତି ଜାତୀୟ ରାଜପଥ କଡ଼ରେ। ବିକାଶର ଦିଣ୍ଡିମ ପିଟୁଥିବା ମୋ ସରକାର ତରଫରୁ ରାସ୍ତାରେ ଖଣ୍ଡେ ଆଲୋକ ଶିଖା ପାଇବା ମଧ୍ୟ ଆଶାତୀତ । ଏଭଳି ଅବସ୍ଥାରେ ବୃଦ୍ଧା ଜଣକ କିନ୍ତୁ କୌଣସି ଜଙ୍ଗଲ ଜନ୍ତୁ ଅବା ଅନ୍ଧାର କିମ୍ବା ଦୁର୍ଘଟଣାର କୌଣସି ସମ୍ଭାବନାକୁ ଭ୍ରୁକ୍ଷେପ ନକରି ନିଜର ଏହି ଅଲୋଡ଼ା ଜୀବନକୁ ବିତାଉଛନ୍ତି। ପ୍ରକାଶ ଥାଉ କି ବିଗତ ଅଳ୍ପ କିଛି ଦିନ ତଳେ ପ୍ରକୃତିର ତାଣ୍ଡବଲୀଳାରେ ଧ୍ବଂସ ବିଧ୍ୱସ୍ତ ମାଲକାନଗିରି ଜିଲ୍ଲାରେ ଗତକାଲି ମଧ୍ୟ ବେଶ୍ ଝଡ଼ ବତାସ ଦେଖିବାକୁ ମିଳିଥିଲା। ତା’ସତ୍ତ୍ଵେ ମଧ୍ୟ ଏସବୁ ଘଟଣାକୁ ଖାତିର ନକରି ମୃତ୍ୟୁର ଅପେକ୍ଷାରେ ବୃଦ୍ଧା। ଜାତୀୟ ରାଜପଥରେ ସରକାରଙ୍କ ତରଫରୁ ଯଦିଓ ବିଜୁଳିବତୀ ଖଣ୍ଡିଏ ନାହିଁ କିନ୍ତୁ ରାତି ତମାମ୍ କାର୍, ଟ୍ରକ୍, ବସ୍, ମଟର ସାଇକେଲ କିନ୍ତୁ ପ୍ରତି ସମୟ ଅନ୍ତରାଳରେ ଯାଆ ଆସ କରୁଛି । କିନ୍ତୁ କାହାର ନଜର ପଡୁନାହିଁ ଏହି ବୁଢ଼ୀ ମାଆଙ୍କ କରୁଣ ବଦନରେ। ବିକାଶ ଓ ପୁଞ୍ଜିବାଦର ସ୍ବପ୍ନ ତଳେ ବନ୍ଧା ଆଜି ମାନବିକତା । କାହା ପାଖରେ କ୍ଷଣିକ ମାତ୍ର ସମୟ ନାହିଁ, ସମସ୍ତେ ଆଜି ବ୍ୟସ୍ତ । ତେବେ ପ୍ରକୃତରେ ପ୍ରଶ୍ନ ଉଠୁଛି ଯାହା ନିଶ୍ଚିତ ଭାବେ ଆତ୍ମ ସମୀକ୍ଷା କରିବା ନିମନ୍ତେ ବାଧ୍ୟ କରୁଛି ଯେ, ଏହା କ’ଣ ଆମ ପୂର୍ବ ପୁରୁଷଙ୍କ ପରିକଳ୍ପିତ ରାମରାଜ୍ୟ ? ମାନବତାର ପରିଚୟ ଦେବାକୁ ଯାଇ ନିଜ ପୁତ୍ରର ଜୀବନକୁ ମୃତ୍ୟୁ ନିକଟରେ

ଜଳାଞ୍ଜଳି ଦେଇଥିବା ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀ ଆଜିର ମଣିଷକୁ କ’ଣ ଏହି ଶିକ୍ଷା ହିଁ ଦେଇପାରିଛି ? ଆଖିରେ ଆଖିଏ ଦୁଃଖ ସହ ମୃତ୍ୟୁ ସହ ଯୁଝି ଯୁଝି ସଂଗ୍ରାମରୁ ବିରତି ନେଇ ସାରିଥିବା ତାଙ୍କ ଜୀର୍ଣଶୀର୍ଣ୍ଣ ଶରୀର ବ୍ୟକ୍ତ କରୁଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଘଟଣାକୁ ନେଇ ନିଶର୍ତ୍ତ ଗଣ ମାଧ୍ୟମର ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଦେବବ୍ରତ ବେହେରା ଟୋଲ୍ ଫ୍ରୀ ନଂ ୧୧୨କୁ ଯଦିଓ ଯୋଗାଯୋଗ କରିଥିଲେ କିନ୍ତୁ ପୁନଶ୍ଚ ଯୋଗାଯୋଗ କରିବାର ପ୍ରତିଶ୍ରୁତି ହିଁ କେବଳ ମିଳିଥିଲା କିନ୍ତୁ ନା ମାଲକାନଗିରି ଆଦର୍ଶ ଥାନା , ନା ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ କାହାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିବା ଲକ୍ଷ୍ୟ କରାଯାଇ ପାରି ନାହିଁ । ସେପଟେ ବୃଦ୍ଧାଙ୍କ ନାମ ସମେତ ତାଙ୍କ ଠିକଣା ମଧ୍ୟ ସିଏ କହି ପାରୁ ନାହାନ୍ତି । ତେବେ ଦେଖିବାକୁ ଅପେକ୍ଷା କେତେବେଳେ ଜିଲ୍ଲାପ୍ରଶାସନଙ୍କ ନିଦ ଭାଙ୍ଗୁଛି ଓ କେତେବେଳେ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ ।

nis-ad
Leave A Reply

Your email address will not be published.