ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଟପିଛି। ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ। ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ ମୃତକ ସଂଖ୍ୟା ୩୦୧କୁ ବୃଦ୍ଧି ଘଟିଛି। ଏବେ ମଧ୍ୟ ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଚିହ୍ନଟ ହୋଇ ପାରି ନ ଥିବା ୧୬୦ ମୃତଦେହ ଭୁବନେଶ୍ଵର ଅଣାଯିବ। ୩୦/୪୦ ମୃତଦେହ ଚିହ୍ନଟ ହୋଇ ଗଲାଣି। ଚିହ୍ନଟ ହୋଇପାରିନଥିବା ମୃତଦେହ ଶବାଗାରରେ ରଖାଯିବ। ପରିବାର ଲୋକ ଚିହ୍ନଟ ନ କରିବା ଯାଏ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲ୍ରେ ମୃତଦେହ ରଖାଯିବ। ବାଲେଶ୍ଵରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତ ଜଗା ନ ଥିବାରୁ ଏହିପରି ବିକଳ୍ପ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ୍ରେ ମୃତଦେହ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ମୃତଦେହ ଚିହ୍ନଟ କରିବା ଏବଂ ସମସ୍ତ ଯାତ୍ରୀଙ୍କ ପରିଚୟ ସଂଗ୍ରହ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।ଏହା ମଧ୍ୟରେ ରେଲଓ୍ଵେ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ ନମ୍ବର ୧୨୪୮୧ କରମଣ୍ଡଳ ଏକ୍ସପ୍ରେସ୍ ବାହାନଗା ବଜାର ଷ୍ଟେସନର ମେନ ଲାଇନରେ ଗତି କରୁଥିବା ବେଳେ ଲୁପ୍ ଲାଇନ୍ରେ ଥିବା ମାଲଗାଡ଼ିକୁ ଧକ୍କା ଦେଇଥିଲା। ସେହି ସମୟରେ ଟ୍ରେନ ଫୁଲ୍ ସ୍ପିଡରେ ଥିଲା ଏବଂ ଏହାକୁ ଷ୍ଟେସନରେ ରୋକିବା ସମ୍ଭବ ନଥିଲା। ଫଳସ୍ଵରପ ମାଲଗାଡ଼ିରେ କରମଣ୍ଡଳ ଧକ୍କା ହେବା ସହ ଏହାର ୨୧ ବଗି ଲାଇନଚ୍ୟୁତ୍ ହୋଇଥିଲା ଏବଂ ୩ଟି ବଗି ଡାଉନ୍ ଲାଇନ୍ ଉପରକୁ ଚାଲି ଯାଇଥିଲା। ଫଳରେ ଏମିତି ସାଙ୍ଘାତିକ ଦୁର୍ଘଟଣା ଘଟିଗଲା।
Sign in
Sign in
Recover your password.
A password will be e-mailed to you.