କବଚ ବି ବାଲେଶ୍ୱର ଦୁର୍ଘଟଣାକୁ ରୋକି ପାରି ନଥାଆନ୍ତା !

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କବଚ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୨ରୁ ଏହି କବଚ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ ୨% ସ୍ଥାନରେ ଏହାକୁ ଲାଗୁ କରାଯାଇ ପାରିଛି। କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ପୂରା ଦେଶରେ କବଚ ବ୍ୟବସ୍ଥା ଲାଗୁ କରିବେ ବୋଲି କହିଥିଲ ହେଁ ଏହା ସମ୍ଭବ ହେବା ଭଳି ଲାଗୁ ନାହିଁ।
ବାଲେଶ୍ୱରର ବାହାନଗାରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ପରେ କବଚ ବ୍ୟବସ୍ଥା ପୁଣି ଚର୍ଚ୍ଚାକୁ ଆସିଛି। ଅନେକ କହୁଛନ୍ତି ଯେ କବଚ ବ୍ୟବସ୍ଥା ଥିଲେ ସମ୍ଭବତଃ ଏପରି ଭୟଙ୍କର ଘଟି ନଥାଆନ୍ତା। ହେଲେ ବିଶେଷଜ୍ଞ କିଛି ଭିନ୍ନ କଥା କହୁଛନ୍ତି। ଏହି ରାସ୍ତାରେ କବଚ ବ୍ୟବସ୍ଥା ଥିଲେ ମଧ୍ୟ ଦୁର୍ଘଟଣାକୁ ଏଡ଼ାଇବା ସମ୍ଭବ ହୋଇ ପାରି ନଥାଆନ୍ତା ବୋଲି ସେମାନେ ମତ ରଖିଛନ୍ତି।
ଦେଶରେ ଚାଲୁଥିବା ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ବ୍ରେନ କୁହାଯାଉଥିବା ସୁଧାଂଶୁ ମଣି କହିଛନ୍ତି ଯେ ଦୁଇଟି ଟ୍ରେନ ମଧ୍ୟରେ ହେବାକୁ ଥିବା ଧକ୍କାକୁ ରୋକିବା ପାଇଁ କବଚ ବ୍ୟବସ୍ଥା କରାଯାଇଛି। ହେଲେ କବଚ ମଧ୍ୟ ବାଲେଶ୍ୱର ଟ୍ରାଜେଡିକୁ ରୋକିବା ପାଇଁ ସକ୍ଷମ ହୋଇ ନଥାଆନ୍ତା। ଏଥିସହ ସେ ରେଳ ଟ୍ରାକ୍‌ର ଭିତ୍ତିଭୂମିରେ ସୁଧାର ପାଇଁ କହିଛନ୍ତି।
ସେ କହିଛନ୍ତି, “ଏହି ଦୁର୍ଘଟଣାକୁ କବଚ ରୋକି ପାରି ନଥାଆନ୍ତା। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ୁଛି ଯେ ଦୁର୍ଘଟଣା ସିଗ୍ନାଲ ଫେଲରୁ ହୋଇନାହିଁ। ପ୍ରଥମ ଟ୍ରେନ ଲାଇନଚ୍ୟୁତ ହେବା ଏତେ ବଡ଼ ଦୁର୍ଘଟଣାର ମୁଖ୍ୟ କାରଣ। ପ୍ରଥମ ଟ୍ରେନ କାହିଁକି ଲାଇନଚ୍ୟୁତ ହେଲା, ସରକାର ଏହାର ତଦନ୍ତ କରିବା ଦରକାର।
କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଚାହିଁଥିଲେ ମଧ୍ୟ ଏହାର ବ୍ରେକ ଲଗାଇ ପାରି ନଥାନ୍ତେ। କାରଣ ସେ ଟ୍ରାକ୍‌ରେ ଆଉ ଗୋଟିଏ ଟ୍ରେନର ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ବେଳକୁ ଏହାର ବେଗ ଖୁବ ଅଧିକ ଥିଲା। କରମଣ୍ଡଳ ଏକ୍ସପ୍ରେସ ମଧ୍ୟ ସର୍ବଦା ଦ୍ରୁତଗତିରେ ଯାଇଥାଏ।”
ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଆସିଥିଲେ। ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ କବଚ କଥା ଉଠାଇଥିଲେ। କରମଣ୍ଡଳ ଏକ୍ସପ୍ରେସରେ କବଚ ବ୍ୟବସ୍ଥା ଥିଲେ ଦୁର୍ଘଟଣା ଅଟକା ଯାଇ ପାରି ଥାଆନ୍ତା ବୋଲି ସେ କହିଥିଲେ। ହେଲେ ଶ୍ରୀ ମଣି କବଚ ଥିଲେ ମଧ୍ୟ ଦୁର୍ଘଟଣା ଘଟିଥାଆନ୍ତା ବୋଲି କହିଛନ୍ତି। ଏଥିସହ ସେ ରେଳ ଟ୍ରାକ୍‌ର ଭିତ୍ତିଭୂମି ସୁଧାର କରିବା ଉପରେ ମତ ରଖିଛନ୍ତି।
ସେ କହିଛନ୍ତି, “ଏବେ ବି ରେଳ ଟ୍ରାକ୍‌ର ଉନ୍ନତିକରଣ ଆବଶ୍ୟକ। ଲୋକମାନେ ଟ୍ରାକ୍‌ ଓ ଅନ୍ୟାନ୍ୟ ଜିନିଷକୁ ଦେଖନ୍ତି ନାହିଁ। ସେମାନେ କେବଳ ଟ୍ରେନକୁ ଦେଖନ୍ତି। ତେଣୁ ସରକାର କେବଳ ଟ୍ରେନର ଉନ୍ନତି ପାଇଁ ଚାହୁଁଛନ୍ତି। ଟ୍ରାକର ଉନ୍ନିକରଣ ହେଉନି। ମୁଁ ଭାବୁଛି ଟ୍ରାକଗୁଡ଼ିକର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବା ଦରକାର।”
ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମିରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ୧୨୬ କିମି ବେଗରେ ଆସୁଥିଲା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା। ଏହାର ବଗି ତୃତୀୟ ଟ୍ରାକ୍‌କୁ ଛିଟିକି ପଡ଼ିଥିଲା। ଏତିକି ବେଳେ ସେହି ଟ୍ରାକ୍‌ରେ ଆସୁଥିବା ବେଙ୍ଗାଲୁରୁ ହାୱାଡା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଏଥିରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ରୁଟ ‘କବଚ’ ବ୍ୟବସ୍ଥା ନ ଥିଲା। ‘ଆତ୍ମନିର୍ଭର ଭାରତ’ ଅଭିଯାନରେ ଭାରତ ସରକାର ରେଳ ଦୁର୍ଘଟଣାକୁ ରୋକିବା ପାଇଁ ୨୦୨୨ ଆର୍ଥିକ ବଜେଟ୍‌ରେ ‘କବଚ’ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୨ ମାର୍ଚ୍ଚ ୨୩ରେ ରେଳ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିଥିଲା ଯେ ଭାରତରେ ଟ୍ରେନ୍‌ ଚଳାଚଳର ସୁରକ୍ଷା ନିମନ୍ତେ ସ୍ୱଦେଶୀ ଜ୍ଞାନ‌କୌଶଳରେ ନିର୍ମିତ ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌’ (ଏଟିପି) ବା ‘କବଚ’ ପୂରା ଦେଶରେ ଲାଗୁ କରାଯିବ। ରିସର୍ଚ୍ଚ ଡିଜାଇନ୍‌ସ୍‌ ଆଣ୍ଡ୍‌ ‌ଷ୍ଟାଣ୍ଡାର୍ଡସ୍‌ ଅର୍ଗାନାଇଜେସନ୍‌ ଓ ଅନ୍ୟ ତିନିଟି ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏଟିପି ବିକଶିତ କରାଯାଇଥିଲା।
‘ସିଗ୍‌ନାଲ୍‌ ପାସିଙ୍ଗ୍‌ ଆଟ୍‌ ଡେଞ୍ଜର୍‌’ (ଏସ୍‌ପିଏଡି) ଜନିତ ସମସ୍ୟାକୁ ଦୂର କରିବା ସହ ଲୋକ ପାଇଲଟଙ୍କୁ ସତର୍କ କରାଇବା ଓ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଗରେ ଟ୍ରେନ୍‌ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ‘କବଚ’ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି।
ଆବଶ୍ୟକ ସ୍ଥଳରେ ସମାନ ଟ୍ରାକ୍‌ରେ ଦୁଇଟି ଟ୍ରେନ ଥିଲେ ଏହି ବ୍ୟବସ୍ଥା ଟ୍ରେନ୍‌ର ବ୍ରେକକୁ ସ୍ୱଂୟଚାଳିତ ଭାବେ ନିୟନ୍ତ୍ରଣ କରିପାରିବ। ସରଳ ଭାଷାରେ କହିଲେ କବଚ ଦ୍ୱାରା ଦୁଇଟି ଟ୍ରେନ ମୁହାଁମୁହିଁ ବା ଆଗ-ପଛ ପାଖରୁ କାହାକୁ ଧକ୍କା ଦେବାକୁ ଆଉ ସକ୍ଷମ ହେବେନି।
ସମାନ ଟ୍ରାକ୍‌ରେ ଦୁଇଟି ଟ୍ରେନ ଥିଲେ କବଚ ଟ୍ରେନକୁ ଅଟୋମେଟିକ୍ ପଛକୁ ଟାଣି ନେଇଥାଏ ବା ବ୍ରେକ ଲଗାଇବାରେ ସହାୟତା କରିଥାଏ। କବଚ ଟେକ୍ନୋଲୋଜି ପାଇଁ ୨୦୨୧-୨୨ ପାଇଁ ୧୩୩ କୋଟି ଓ ୨୦୨୨-୨୩ ପାଇଁ ୨୭୨.୩୦ କୋଟିର ବ୍ୟୟବରାଦ କରାଯାଇଛି।

nis-ad
Leave A Reply

Your email address will not be published.