ଦେଶର ଅଭିବୃଦ୍ଧି ହାର ୭.୨%

ନୂଆଦିଲ୍ଲୀ : ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି। ଏହାର ପୂର୍ବ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୧% ରହିଥିଲା। ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ କରିଥିବା ଆକଳନକୁ ଏହା ମାତ ଦେଇଥିବା ସରକାର କହିଛନ୍ତି।
ଆରବିଆଇ ଆକଳନ କରିଥିଲା ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବ। ତେବେ ଯଦି ଏହି ଆକଳନକୁ ଜିଡିପି ଅଭିବୃଦ୍ଧି ଅତିକ୍ରମ କରିଯିବ, ତା’ହେଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ। ଏବେ ସତକୁ ସତ ଦେଶର ଅଭିବୃଦ୍ଧି ୭.୨% ରହିଛି।
ଆଜି ସରକାର ଦେଇଥିବା ସୂଚନା ଅନୁସାରେ, ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକରେ ଦେଶର ଅର୍ଥନୀତି ୬.୧% ହାରରେ ବଢ଼ିଛି। ତୃତୀୟ କ୍ୱାର୍ଟରରେ ଏହା ୪.୫% ରହିଥିଲା। ସ୍ୱାଭାବିକ ଜିଡିପି ବା ଚଳିତ ଦର ଅନୁସାରେ ଜିଡିପି ୨୦୨୨-୨୩ରେ ୨୭୨.୪୧ ଲକ୍ଷ କୋଟି ଟଙ୍କା ଛୁଁଇବ ବୋଲି ଆକଳନ କରାଯାଇଛି। ୨୦୨୧-୨୨ରେ ଏହା ୨୩୪.୭୧ ଲକ୍ଷ କୋଟି ଥିଲା। ତେଣୁ ଅଭିବୃଦ୍ଧି ହାର ୧୬.୧% ରହିବ।
ଆରବିଆଇ ଆକଳନ କରିଥିଲା ଯେ ବିତ୍ତୀୟ ବର୍ଷ ୨୦୨୩ର ୪ର୍ଥ ତ୍ରୈମାସିକରେ ଅଭିବୃଦ୍ଧି ହାର ୫.୧% ରହିବ। ସେହିପରି ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞମାନେ ମଧ୍ୟ ଡିଜିପି ୫% ରହିବ ବୋଲି ଦମ୍ଭୋକ୍ତି କରିଥିଲେ। ତେବେ ଗତ ତ୍ରୈମାସିକ ତୁଳନାରେ ଜାନୁଆରୀରୁ ମାର୍ଚ୍ଚରେ ଭାରତର ଅର୍ଥନୀତି ଭଲ ପ୍ରଗତି କରିଛି। ବିଶ୍ୱର ଅର୍ଥନୀତି ଧିମା ହୋଇଯାଇଥିଲେ ମଧ୍ୟ ଶେଷ ତ୍ରୈମାସିକରେ ଭାରତର ଜିଡିପି ୬.୧% ରହିଛି।

nis-ad
Leave A Reply

Your email address will not be published.