ନକଲି ଶିକ୍ଷକ ବିରୋଧ ରେ ଆରମ୍ଭ ହେଲା ଆକ୍ସନ୍‌ : ୧୩ହଜାର ଶିକ୍ଷକଙ୍କ ସାର୍ଟିଫିକେଟ୍‌ରେ ତାଳମେଳ ନାହିଁ…

ଘଣ୍ଟ ଘୋଡାଉଛନ୍ତି ଡି ଇ ଓ ଏବଂ ବି ଇ ଓ…!

ଭୁବନେଶ୍ୱର : ଫେକ୍ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷକଙ୍କ ବିରୋଧରେ ଆରମ୍ଭହୋଇଛି ରାଜ୍ୟବ୍ୟାପୀ ଆକ୍ସନ। ଏଭଳି ଅନେକ ଶିକ୍ଷକ ଇତିମଧ୍ୟରେ ଧରାପଡ଼ି ଗିରଫ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୫ହଜାରରୁ ଅଧିକ ଏହିଧରଣର ଶିକ୍ଷକ ଥିବା ଅନୁମାନ କରାଯାଉଛି । ନିଯୁକ୍ତି ସମୟରେ ସାର୍ଟିଫିକେଟ୍‌ର ସଠିକ୍ ଯାଞ୍ଚ ହୋଇନଥିବାରୁ ଏବେ ସମସ୍ୟା ଉପୁଜିଛି ।କିଛି ଶିକ୍ଷକଙ୍କ ଆଧାର ଲିଙ୍କ୍ ନଥିବା କାରଣରୁ ଏଭଳି ନକଲି ଶିକ୍ଷକଙ୍କ କାରନାମା ଧରାପଡ଼ିବାରେ ବିଳମ୍ବ ହୋଇଥିବା କୁହାଯାଉଛି । ତେବେ ଧୂର୍ତ୍ତ ନକଲି ଶିକ୍ଷକଙ୍କୁ ଧରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ପ୍ଲାନ୍ ଅଫ୍ ଆକ୍ସନ୍ । ଯେଉଁ ଶିକ୍ଷକଙ୍କ ଆଧାରରେ ତ୍ରୁଟି ରହିଛି; ସମ୍ପୃକ୍ତ ଶିକ୍ଷକମାନେ ବିଇଓ କାର୍ଯ୍ୟାଳୟରେ ତୁରନ୍ତ ଘୋଷଣାନାମା ଦାଖଲ କରିବାକୁ କୁହାଯାଇଛି । ରାଜ୍ୟରେ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତି ଯାଞ୍ଚ କରାଯିବା ସହ ସବୁ ଶିକ୍ଷକଙ୍କ ତଥ୍ୟ ୟୁଡାଇସ୍ ମାଧ୍ୟମରେ ରଖିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟରେ ବହୁ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଆଧାର ଲିଙ୍କ୍ ସଂଯୋଗ ପରେ ବାହାର ଅନୁଷ୍ଠାନରୁ ବିଭିନ୍ନ ସାର୍ଟିଫିକେଟ୍ ହାତେଇଥିବା ପ୍ରାୟ ୧୫ପ୍ରତିଶତ ଶିକ୍ଷକ ଜାଲ୍ ଥିବା ଧରାପଡ଼ିଥିଲା ।ଏପରି ସମସ୍ୟା ଲାଗି ରାଜ୍ୟରେ ସବୁ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା କଡ଼ାକଡ଼ି ଭାବେ ଯାଞ୍ଚ କରି ୟୁଡାଇସ୍‌ରେ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯାଇନଥିବାରୁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ । ସେଥିରୁ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୩୦ହଜାର ୫୧୬ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ହେଉଛି ୬୬ହଜାର ୮୧୦ । ଜିଲ୍ଲା ୱାରୀ ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୧୩ହଜାର ୯୮୫ଜଣ ଶିକ୍ଷକ ଥିବା ବେଳେ ମୟୂରଭଞ୍ଜରେ ୧୩ହଜାର ୮୭୬ଜଣ, ବାଲେଶ୍ୱରରେ ୧୦ହଜାର ୩୯୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ୟୁଡାଇସ୍ ରିପୋର୍ଟ ଅନୁଯାୟୀ, ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ୩୯୩୪ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ୨୫୩୧ ରହିଛି । ମୋଟ୍ ଉପରେ ୧୩ହଜାର ଶିକ୍ଷକଙ୍କ କୌଣସି ତାଳମେଳ ନଥିବା ଅଭିଯୋଗ ହୋଇଛି ।ଏପରକି ଶିକ୍ଷାଗତ ଯୋଗ୍ୟତାରେ ମୋଟ୍ ଉପରେ ୧୫ପ୍ରତିଶତ ଶିକ୍ଷକଙ୍କ +୩ ସ୍ତରରେ ସମସ୍ୟା ଥିବା ଅଭିଯୋଗ ହୋଇଥିବା ବେଳେ ୨୨ପ୍ରତିଶତ ଶିକ୍ଷକଙ୍କ ବିଇଡି ଏବଂ ୧୩ପ୍ରତିଶତ ଶିକ୍ଷକଙ୍କ ଉଚ୍ଚଶିକ୍ଷା ସାର୍ଟିଫିକେଟ୍‌ରେ ତାଳମେଳ ନଥିବା ଜଣାଯାଇଛି । ତେବେ ନିଯୁକ୍ତି ସମୟରେ ଏପରି ସମସ୍ୟା ଉପରେ କାହିଁକି ନଜର ଦିଆଯାଇନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଜିଲ୍ଲା ୱାରୀ ସବୁ ଶିକ୍ଷକଙ୍କ ତଥ୍ୟର ଯାଞ୍ଚ କରାଯାଉଛି । ଏନେଇ ସବୁ ବିଇଓ ଏବଂ ଜିଲ୍ଲାଶିକ୍ଷା ଅଧିକାରୀ ଠିକ୍‌ଭାବେ ସାର୍ଟିଫିକେଟ୍ ଯାଞ୍ଚ କରିବା ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ ଶେଷ ସୁଦ୍ଧା ସବୁ ଶିକ୍ଷକ ଆଧାର ଲିଙ୍କ୍ ଏବଂ ଯାଞ୍ଚ କଡ଼ାକଡ଼ି ଭାବେ କରାଯିବ । ଅନେକ ସମୟରେ ଆଧାରରେ ତ୍ରୁଟିରହୁଛି । ତେଣୁ ତ୍ରୁଟି ଥିଲେ ଆଗୁଆ ଲିଖିତ ଭାବେ ଜଣାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.