ବିରାଟଙ୍କ ସ୍ବପ୍ନ ଅଧୁରା: ଗିଲ୍‌ଙ୍କ ଶତକରେ ବାଙ୍ଗାଲୋର ବିଦା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର ଗ୍ରୁପ୍ ପର୍ଯ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ଦୁଃସ୍ବପ୍ନ ଧାରା ଜାରି ରହିଛି। ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ପ୍ରବେଶ ମଧ୍ୟ ନିଶ୍ଚିତ ହୋଇଯାଇଥିଲା। ମଙ୍ଗଳବାର କ୍ବାଲିଫାୟାର-୧ରେ ଗୁଜରାଟ ଟାଇ‌ଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମୁକାବିଲା ହେବ।
ରବିବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୯୮ ରନ୍‌କୁ ପିଛା କରିଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆର୍‌ସିବିକୁ ପ୍ରାରମ୍ଭିକ ସଫଳତା ‌ଦେଇଥିଲେ। ଭାରତୀୟ ଯୋଡ଼ି ଶୁବମନ ଗିଲ୍‌ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍‌ (୧୧.୫ ଓଭର‌ରୁ) ଉଠାଇ ବାଙ୍ଗାଲୋର୍ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶଙ୍କର ୩୪ ବଲରୁ ଏବଂ ଗିଲ୍‌ ୨୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୫ ବଲରୁ ୫୩ ରନ୍‌ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇଯାଇଥିଲେ ମଧ୍ୟ ଗିଲ୍‌ଙ୍କ ସ୍ବପ୍ନୀଳ ବ୍ୟାଟିଂ ଜାରି ରହିଥିଲା। ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ଗିଲ୍‌ଙ୍କର ମଧ୍ୟ ଏହା ଥିଲା ଲଗାତାର ଶତକ।
ଗୁଜରାଟ ଟାଇଟନ୍ସ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାରକା ବିରାଟ କୋହଲି ୬୦ ବଲ୍‌ରୁ ଶତକ ପୂରଣ କରିଥିଲେ। କୋହଲି ମଧ୍ୟ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଶତକ ଜମାଇବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏହା ଥିଲା ଚଳିତ ଆଇପିଏଲ୍‌ରେ ତାଙ୍କର ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ସପ୍ତମ ଶତକ। ସର୍ବାଧିକ ଶତକ (୭) ହାସଲରେ ସେ କ୍ରିସ୍‌ ଗେଲ୍‌ (୬)ଙ୍କ ପଛରେ ପକାଇ ଦେଇଥିଲେ। ଏବେ ସର୍ବାଧିକ ଆଇପିଏଲ୍‌ ଶତକରେ କୋହଲିଙ୍କଠୁ ଗେଲ୍‌ ଓ ଜୋସ୍‌ ବଟଲର୍‌ (୫) ପଛରେ ରହିଗଲେ।
ପୂର୍ବ ମ୍ୟାଚ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୦୦ (୬୧ ବଲ୍‌) ରନ୍‌ କରିଥିବା ‌‌କୋହଲି ରବିବାର ‌ଗୁଜରାଟ ଟାଇଟନ୍ସ ବିପକ୍ଷରେ ୧୦୧* (୬୧ ବଲ୍‌, ୧୩ ‌ଚୌକା, ୧ ଛକା) ରନ୍‌ର ଅପରାଜିତ ପାଳି ଖେଳି ଆଇପିଏଲ୍‌ରେ ତୃତୀୟ ବ୍ୟାଟର୍‌ ଭାବେ ଲଗାତାର ଶତକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ (୨୦୨୦) ଏବଂ ‌ରାଜସ୍ଥାନ ରୟାଲ୍ସର ଜୋସ ବଟଲର (୨୦୨୨) ଲଗାତାର ୨ଟି ଲେଖାଏଁ ଶତକ ମାରିଥିଲେ। କୋହଲି ମଧ୍ୟ ଗୁଜରାଟ ଟାଇଟନ୍ସ ବିପକ୍ଷରେ ତାଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଥିଲେ। ଏହି ଦଳ ବିପକ୍ଷରେ ସେ ୫୮ (୫୩ ବଲ୍‌, ୨୦୨୨, ମୁମ୍ବାଇ), ୭୩ (୫୪ ବଲ୍‌, ୨୦୨୨, ମୁମ୍ବାଇ) ଏବଂ ୧୦୧* (୬୧ ବଲ୍‌, ବେଙ୍ଗାଲୁରୁ, ୨୦୨୩) ରନ୍‌ କରିଛନ୍ତି। ସେହିଭଳି ଗୋଟିଏ ସିଜିନ୍‌ରେ ୬୦୦ରୁ ଊର୍ଦ୍ଧ୍ବ ରନ୍‌ କରିବାରେ କୋହଲି ମଧ୍ୟ ଯୁଗ୍ମ ଦ୍ବିତୀୟକୁ ଉଠିଛନ୍ତି। ପୂର୍ବରୁ କୋହଲି ୨୦୧୩ ଓ ୨୦୧୬ରେ ମଧ୍ୟ ୬୦୦ରୁ ଊର୍ଦ୍ଧ୍ବ ରନ୍‌ କରିଥିଲେ। କେଏଲ୍‌ ରାହୁଲ ସର୍ବାଧିକ ୪ ଥର (୨୦୧୮, ୨୦୨୦, ୨୦୨୧, ୨୦୨୨) ଏଭଳି କରି ଶୀର୍ଷରେ ରହିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର (୨୦୧୬, ୨୦୧୭, ୨୦୧୯) ଏବଂ କ୍ରିସ୍‌ ଗେଲ୍‌ (୨୦୧୧, ୨୦୧୨, ୨୦୧୩) ମଧ୍ୟ ତିନିଥର ଲେଖାଏଁ ଏଭଳି କରିଛନ୍ତି। ଫାଫ ଡୁପ୍ଲିସେସ୍‌ ଦୁଇ ଥର (୨୦୨୧ ଓ ୨୦୨୩) ଏଭଳି କରିପାରିଛନ୍ତି।

nis-ad
Leave A Reply

Your email address will not be published.