ସଂସଦ ଭବନ ଉଦ୍‌ଘାଟନକୁ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନି କହି ସରକାରଙ୍କୁ ସମାଲୋଚନା କଲେ ଖଡ଼ଗେ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ବିଜେପି’ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
‘ବିଜେପି’ ସରକାର ବାରମ୍ବାର ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ‘ନାମମାତ୍ର’ ସ୍ତରକୁ ଖସି ଆସିଲାଣି ବୋଲି ସେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଅଟ୍ଟାଳିକା ଉଦ୍‌ଘାଟନ କରିବା ଲାଗି ଦିନ ଧାର୍ଯ୍ୟ କରାଯାଇଥିବା କଥା ଲୋକସଭା ସଚିବାଳୟସୂତ୍ରରୁ ପ୍ରକାଶ।
ଟୁଇଟ୍‌ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କେବଳ ନିର୍ବାଚନ ପ୍ରତି ଦୃଷ୍ଟି ଦେଇ ମୋଦୀ ସରକାର ଦଳିତ ତଥା ଆଦିବାସୀ ସମ୍ପ୍ରଦାୟରୁ ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଲାଗି ସୁନିଶ୍ଚିତ କରିଥିବା ପରି ମନେ ହେଉଛି। ସେହିପରି, ପୂର୍ବତନ ରାଷ୍ଟ୍ରପତି କ‌ୋବିନ୍ଦଙ୍କୁ ମଧ୍ୟ ନୂତନ ସଂସଦ ଭବନ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇ ନ ଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଭାରତର ସଂସଦ ହେଉଛି ଭାରତ ସାଧାରଣତନ୍ତ୍ରର ‌ସର୍ବୋଚ୍ଚ ବିଧାନ ପରିଷଦ୍‌ ଏବଂ ଭାରତର ରାଷ୍ଟ୍ରପତି ଏହାର ସର୍ବୋଚ୍ଚ ସାମ୍ବିଧାନିକ ଅଭିକର୍ତ୍ତା। ଏକା ସେ ହିଁ ସର୍ବୋପରି ସରକାର, ବିରୋଧୀ ଏବଂ ଭାରତର ପ୍ରତ୍ୟେକ ନାଗରିକଙ୍କର ପ୍ରତିନିଧିତ୍ବ କରନ୍ତି। ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ।
ରାଷ୍ଟ୍ରପତି ନୂତନ ପାର୍ଲାମେଣ୍ଟ୍‌ ଭବନ ଉଦ୍‌ଘାଟନ କଲେ ତାହା ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ବୁଝାଇବ ବୋଲି ଖଡ଼ଗେ କହିଛନ୍ତି।

nis-ad
Leave A Reply

Your email address will not be published.