ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍ ସଂରକ୍ଷିତ ଜଙ୍ଗଲର ଅରଖମୁଣ୍ଡା ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ଣରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ନୂଆ ବଲଣ୍ଡା ଗ୍ରାମର ହିରଞ୍ଜନ ପ୍ରଧାନ(୬୫)।
ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ହିରଞ୍ଜନ୍ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିଲେ। କେନ୍ଦୁପତ୍ର ତୋଳିବାରେ ସେ ବ୍ୟସ୍ତ ଥିଲେ। ତେଣୁ ହାତୀକୁ ଦେଖିପାରି ନଥିଲେ। ହାତୀଟି ହିରଞ୍ଜନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ସଂଦେହ କରାଯାଉଛି। ତେବେ ମଧ୍ୟାହ୍ନ ସୁଦ୍ଧା ହିରଞ୍ଜନ ଘରକୁ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ଗାଁ ଲୋକେ ଯାଇ ଜଙ୍ଗଲରେ ଖୋଜାଖୋଜି କରି ହିରଞ୍ଜନଙ୍କ ମୃତହେଦ ଠାବ କରିଥିଲେ।
ସୂଚନାଯୋଗ୍ୟ, ଗତ ୧୦ ତାରିଖ ଦିନ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ ମୁଣ୍ଢ଼େର ଏଆରଏସ୍ଏସ୍ ରାସ୍ତା ନିକଟରେ ହାତୀ ଆକ୍ରମଣରେ ମୁଣ୍ଢ଼େର ଗ୍ରାମର ରାଜୁ ନାଏକ (୪୫) ଆହତ ହୋଇଥିଲେ। ସେ ଏବେବି ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ପୂର୍ବରୁ ୭ ତାରିଖ ଦିନ ଅନ୍ୟ ଏକ ଘଟଣାରେ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢ଼େନିସା ବିଟ୍ ଅନ୍ତର୍ଗତ ଡୁମେରଚୁଆଁ-ମୁଣ୍ଢ଼େର ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ କୁଢ଼େନିସା ଗାଁର ନଟବର ମୁଣ୍ଡା (୫୫)ଙ୍କର ମୃତ୍ୟୁ ଘଟିଥିଲା।
କେବଳ ଏତିକି ନୁହେଁ ଗତବର୍ଷ ମେ’ ମାସ ୯ ତାରିଖରେ ପଡ଼ିଆବାହାଲ ରେଞ୍ଜ ବଡ଼ସାହି ସେକ୍ସନ ଅଧିନ ବୁରୋମାଲ ଅଞ୍ଚଳରେ ହାତୀ ଆକ୍ରମଣରେ ଜମନିକରା ଥାନା କୁଲୁଣ୍ଡି ପଞ୍ଚାୟତ ବାଙ୍କଟାଳ ଗ୍ରାମର ଉର୍ମିଳା ମିର୍ଦ୍ଧା (୫୨)ଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ୨୦୨୨ ଅଗଷ୍ଟ ୨ ତାରିଖ ଦିନ ପଡ଼ିଆବାହାଲ ରେଞ୍ଜ ବଡ଼ସାହି ସେକ୍ସନ ଅଧିନ ସାପଲହରା ଶିବମନ୍ଦିର ପୂଜକ ମୁରଲୀଧର ପୂଜାରୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା।