ତୃଟିପୂର୍ଣ୍ଣ ଘୋଷଣାର ସଂଶୋଧନ ଏବଂ ସର୍ବନିମ୍ନ ମଜୁରୀବୃଦ୍ଧି ଦାବୀ ନେଇ ମଇ ୨୯ ରୁ ୩୧ ଯାଏଁ ପ୍ରତିବାଦ ଦିବସ ପାଳିବ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ…
ଭୁବନେଶ୍ୱର : “ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ”ର ରାଜ୍ୟ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗ୍ରହଣ କରାଯାଇଛି । ମୁଖ୍ୟତଃ ଗତ ମଇ ମାସ ୪ତାରିଖରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି, ସିଜିନାଲ୍ କର୍ମଚାରୀ ଏବଂ ବନ୍ଧେଇ ଶ୍ରମୀକ ମାନଙ୍କ ପାଇଁ ୧୧୧ କୋଟି ଟଙ୍କାର ଆର୍ଥିକ ସହାୟତା ୨୦୨୨ମସିହା ପାଇଁ ଘୋଷଣା କରିଛନ୍ତି । ସାଧାରଣତଃ ୨୦୧୪-୧୫ମସିହାରୁ ସରକାର ରାଜ୍ୟ ଜଙ୍ଗଲ ବିଭାଗ ଅଧିନସ୍ଥ କେନ୍ଦୁପତ୍ର ସଂସ୍ଥାରୁ ହେଉଥିବା ଲାଭ କିମ୍ବା ସବୁ ଖର୍ଚ୍ଚ ବାଦ୍ ଦେଇ ବଳକା ଅର୍ଥ (ସରପ୍ଲସ୍) କିମ୍ବା ଲାଭ ଅର୍ଥକୁ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ୍ ଅନୁଯାୟୀ ରାଜ୍ୟ ରାଜକୋଷକୁ ନନେଇ ସିଧାସଳଖ ଉପରୋକ୍ତ କେନ୍ଦୁପତ୍ର ଶ୍ରମିକ ମାନଙ୍କ ବିଭିନ୍ନ ଅକାରରେ ବଣ୍ଟନ କରିଆସୁଛନ୍ତି । ଏହି ଦୁଇ ଆଇନକୁ ଆଖି ଆଗରେ ରଖି କେନ୍ଦୁପତ୍ର ସଂସ୍ଥା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ନୀତି ନିୟାମକର କ୍ଷମତା ନିଜ ହାତରେ ନରଖି ଏହାର ବିକେନ୍ଦ୍ରୀକରଣ କରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ ଗଠନ କରିଛନ୍ତି । ଏଥିରେ ସମସ୍ତ ଷ୍ଟେକ୍ ହୋ୍ଲଡ଼୍ର ଯଥାକ୍ରମେ ସରପଞ୍ଚ ପ୍ରତିନିଧି, ତୋଳାଳି ପ୍ରତିନିଧି, ସିଜିନାଲ୍ କର୍ମଚାରୀ ଓ ବନ୍ଧେଇ କର୍ମଚାରୀମାନଙ୍କ ପ୍ରତିନିଧିଙ୍କୁ ସରକାର ମନୋନୀତ କରି ଉକ୍ତ ବୋର୍ଡ଼ ଗଠନ କରିଛନ୍ତି । ଏତଦ୍ ବ୍ୟତୀତ ଏହି ସଂସ୍ଥା ସହିତ ସଂପୃକ୍ତ ଜଙ୍ଗଲ ବିଭାଗ, ପଞ୍ଚାୟତ ରାଜ ବିଭାଗ, ଆଦିବାସୀ ଦଳିତ,ପଛୁଆବର୍ଗ ଜାତି ଉନ୍ନୟନ ବିଭାଗ, ଅର୍ଥ ବିଭାଗ ଓ ଶ୍ରମ ବିଭାଗ ପ୍ରଭୃତିର ଉଚ୍ଚ ସରକାରୀ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ବିଭାଗୀୟ ମନ୍ତ୍ରୀ ତଥା ସ୍ୱୀକୃତିପ୍ରାପ୍ତ ସଂଘ “ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ”ର କର୍ମକର୍ତ୍ତାଙ୍କୁ ନେଇ ଏହି ବୋର୍ଡ଼ ଗଠିତ ହୋଇଛି । କ୍ରମାଗତ ଭାବରେ ଏହି ବୋର୍ଡ଼ର ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆସୁଥିଲା । ପ୍ରଥମ କରି ୨୦୨୦ମସିହା କୋଭିଡ଼୍ ପାଇଁ ଉକ୍ତ ବୈଠକ ହୋଇପାରି ନଥିଲା ଏବଂ ଏହାପରେ ୨୦୨୧ମସିହା ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇ ବୋନସ୍ ଓ ବିଭିନ୍ନ ସାମାଜିକ ନିରାପତ୍ତା ଦିଗରେ ଅର୍ଥ ମଞ୍ଜୁର କରୁଥିଲେ । କିନ୍ତୁ ୨୦୨୨ ମସିହା ଓ ୨୦୨୩ ମସିହାରେ ଏହାର ବ୍ୟତିକ୍ରମ କରାଯାଇ ସରକାର ମନୋମୁଖୀ ଭାବରେ ଅର୍ଥ ମଞ୍ଜୁର କରିଛନ୍ତି । ଏହା ରାଜ୍ୟ ସରକାର ନିଜେ ଜାତୀୟ ଆଇନକୁ ଆଖି ଆଗରେ ରଖି ଗଠନ କରିିଥିବା ବୋର୍ଡ଼ କିମ୍ବା ଷ୍ଟକ୍ ହୋଲ୍ଡ୍ର ମାନଙ୍କ ପ୍ରତି ଅବମାନନା କରିଛନ୍ତି ଏବଂ ଏକ ଅମଲାତନ୍ତ୍ରୀକ ମନୋଭାବର ପରିଚୟ ଦେଇଛନ୍ତି ।
ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା ଯେ, ଯେଉଁ ବୋନସ୍ ଓ ଆର୍ଥିକ ପ୍ରୋତ୍ସାହନ ଉପରୋକ୍ତ ଶ୍ରେଣୀର ଶ୍ରମିକ ମାନଙ୍କୁ ଦିଆଯାଉଥିଲା ତାର ଏକ ବଡ଼ ବ୍ୟତିକ୍ରମ ହୋଇଛି । ବୋନସ୍ ପ୍ରତିବଦଳରେ ଆର୍ଥିକ ସହାୟତା ତୋଳାଳି ପ୍ରତି ଏକହଜାର ଟଙ୍କା ଓ ସିଜିନାଲ୍ କର୍ମଚାରୀ ଏବଂ ବନ୍ଧେଇ କର୍ମଚାରୀଙ୍କ ପାଇଁ ୧୫୦୦ଟଙ୍କା ସରକାର ବୋର୍ଡ଼ ବୈଠକର ବିନା ଅନୁମୋଦନରେ ଗ୍ରହଣ କରି ଏକ ବିରାଟ ତ୍ରୁଟିପୂର୍ଣ୍ଣ ଘୋଷଣା କରିଛନ୍ତି । କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ ବୈଠକ ଆହ୍ୱାନ ନକରିବା ଏବଂ ଏହାର ବିନା ଅନୁମୋଦନରେ ଏହା ଘୋଷଣା କରିବା ସରକାରଙ୍କ ପଦକ୍ଷେପକୁ “ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ” ଦୃଢ଼ ବିରୋଧ କରୁଅଛି । କାରଣ ଏହା ଫଳରେ ଯେଉଁ ତୋଳାଳି ମାନେ କାର୍ଯ୍ୟକାଳ ମଧ୍ୟରେ ଟ୩୦୦୦ଙ୍କା ରୁ ୪୦୦୦ଟଙ୍କା ପର୍ଯ୍ୟନ୍ତ ଉର୍ଦ୍ଧ୍ୱ ଏପରିକି ଚାରି ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ୭-୮ହଜାର ଏବଂ ତାଠାରୁ ଅଧିକ ମୂଲ୍ୟର ପତ୍ର ଗତ ବର୍ଷ କେନ୍ଦୁପତ୍ର ଫଡ଼ି କିମ୍ବା ବିକ୍ରୟ କେନ୍ଦ୍ରରେ ଦାଖଲ କରିଥିଲେ ଏବଂ ଏହାର ପରିମାଣ ଅଧିକ ପାଇଥିଲେ ସେମାନେ ଏକ ହଜାର ପାଇ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ଉଦାହରଣସ୍ବରୂପ ସମ୍ବଲପୁର ଡ଼ିଭିଜନ୍ର ଧମା କେନ୍ଦୁପତ୍ର ରେଞ୍ଜ୍ ବଡ଼ପାଲ୍ ଫଡ଼ିର ପଲହରା କେର୍କେଟା, ୨୦୨୨ ମସିହାରେ ୨୧ହଜାର ୫୦କେଜି ପତ୍ର ତୋଳି ଯଦି ଶତକଡ଼ା ୫୦ଭାଗରେ ବୋନସ୍ ପୂର୍ବ ବର୍ଷ ପରି ୧୪ହଜାର ୭୩୫ଟଙ୍କା ପାଇଥାନ୍ତେ । ସେହିପରି ରେଡ଼ାଖୋଲ୍ ଡ଼ିଭିଜନ୍ ଗୁଞ୍ଜିହରା ଫଡ଼ିର ତୋଳାଳି କୁନ୍ତଳା ପ୍ରଧାନ ଗତବର୍ଷ ୯ହଜାର ୯ଶହ କେରି ପତ୍ର ତୋଳି ୧୩ହଜାର ୮୬୦ଟଙ୍କା ପାଇଥିଲେ ସେହିପରି ସେ ୬ହଜାର ୯୩୦ଟଙ୍କା ବୋନସ୍ ପାଇଥାନ୍ତେ କିନ୍ତୁ ଆର୍ଥିକ ସହାୟତା ଭାବେ ଏମାନଙ୍କ ହଜାରେ ଟଙ୍କା ଲେଖାଏଁ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେହିପରି ଗୁଞ୍ଜିଧରା ଫଡ଼ିର ଜ୍ୟୋସ୍ନାବତୀ ପ୍ରଧାନ ୨୦୨୨ ମସିହାରେ ୧୦ହଜାର ୩୫୦କେରି ପତ୍ର ତୋଳି ୧୪ହଜାର ୪୯୦ଟଙ୍କା ପାଇଥିଲେ କିନ୍ତୁ ସେ ସେହି ହିସାବରେ ୭ହଜାର ୨୪୫ଟଙ୍କା ପାଇଥାନ୍ତେ, ବାନ୍ଧନତଇଲା ଗ୍ରାମର ଚନ୍ଦ୍ରାବତୀ ବାଘ ୭ହଜାର ୯୫୦କେରୀ ପତ୍ର ତୋଳି ୧୧ହଜାର ୧୩୦ଟଙ୍କା ପାଇଥିଲେ ସେ ବୋନସ୍ ପାଇଥାନ୍ତେ ୫ହଜାର ୫୬୫ଟଙ୍କା ।
ଗତ ୨୦୨୨ମସିହାରେ ଏହି ପରିମାଣରେ ପତ୍ର ବିକ୍ରି କରି ବୋନସ୍ ପାଇବା କ୍ଷତିଗ୍ରସ୍ତ ହୋଇଛନ୍ତି ।
ଅତୀତରେ ଥରେ ୧୦୦% ଭାଗ ଏବଂ ୨୦୨୨ ମସିହା ପର୍ଯ୍ୟନ୍ତ ୫୦ ଶତକଡ଼ା ଭାଗ ବୋନସ୍ ପାଇଥିଲେ ଏବଂ ତାଙ୍କର ଅର୍ଜିତ ଅର୍ଥରାଶୀର ଉକ୍ତ ପରିମାଣରେ ବୋନୋସ୍ ପାଇବାରୁ ବଞ୍ôଚତ ହୋଇଛନ୍ତି । ଏହି ପ୍ରକାର ତୋଳାଳୀ ମାନେ ହିଁ ଏହି ସଂସ୍ଥାକୁ ସମୃଦ୍ଧ କରିଥାନ୍ତି । ଏହା ବ୍ୟତୀତ ଯେଉଁ ସିଜିନାଲ୍ କର୍ମଚାରୀମାନେ ୩ମାସ ରୁ ୮ମାସ ଏବଂ ବର୍ଷସାରା କାର୍ଯ୍ୟ କରିଥାନ୍ତି ବିଗତ ବର୍ଷ ତୁଳନାରେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ଦୀର୍ଘ ୪-୫ମାସ ବନ୍ଧେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥି ଯୋଗୁଁ ଅଧିକାଂଶ ଶ୍ରମିକ କର୍ମଚାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବୋନୋସ୍ ନୀତି ହେଉଛି ପରିଶ୍ରମ ଓ କାର୍ଯ୍ୟକାଳ ଅନୁଯାୟୀ ଭାଗୀଦାର ହିସାବରେ ପାଉଥିବା ପ୍ରାପ୍ୟର ସମୁଦାୟ ହିସାବକୁ ନେଇ ଲାଭର ମାତ୍ରାକୁ ହିସାବକରି ଶତକଡ଼ା ହାରରେ ଏହା ନିର୍ଣ୍ଣୟ ହୋଇଥାଏ । କିନ୍ତୁ ୨୦୨୨ମସିହାର ପ୍ରାପ୍ୟକୁ ହିସାବକୁ ନନେଇ ସମସ୍ତଙ୍କୁ ସମାନ ରେଟ୍ରେ ଆର୍ଥିକ ସହାୟତା ଦେବା ଫଳରେ ପରିଶ୍ରମ ଓ କାର୍ଯ୍ୟକାଳର ଫଳ ମିଳିନାହିଁ । ଏହା କେବଳ ସେମାନଙ୍କୁ କ୍ଷତିଗ୍ରସ୍ତ କରିବ ନାହିଁ ବରଂ କେନ୍ଦୁପତ୍ର ସଂସ୍ଥାରେ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଁଚି ପାରିବ ନାହିଁ । ଏବଂ ସାମଗ୍ରୀକ ଭାବରେ ସଂସ୍ଥା ଆଗାମୀ ଦିନରେ କ୍ଷତିଗ୍ରସ୍ତ ହେବ । ରାଜ୍ୟ ସରକାର ଯେଉଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ତାହା ସରକାରଙ୍କ ବଜେଟ୍ ଅର୍ଥ ନୁହେଁ ଏହା କେ.ଏଲ୍.ଡ଼ି.ବି. କେନ୍ଦୁପତ୍ର ଉନ୍ନୟନ ପାଣ୍ଠିର ଅର୍ଥ ଯାହାକି ସରକାରଙ୍କ ଏକଚାଟିଆ ଅଧିକାର ଭୁକ୍ତ ନୁହେଁ । ଏହା କେବଳ କେ.ଏଲ୍.ଡ଼ି.ବି. ର ଅନୁମୋଦନ କ୍ରମେ ହେବା ଉଚିତ୍ ।
ଆହୁରି ମଧ୍ୟ ୫ବର୍ଷ ହେବାକୁ ଯାଉଛି ରାଜ୍ୟରେ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇନାହିଁ । ଯାହାକି ଅନ୍ତତଃ ୩ବର୍ଷରେ ହେବା ଉଚିତ୍ । ଇତିମଧ୍ୟରେ କୋଭିଡ଼୍ ମହାମାରୀ, ଆର୍ଥିକ ମାନ୍ଦା ଅବସ୍ଥା, ଦରଦାମ୍ ବୃଦ୍ଧି, ଜିଏସ୍ଟି ପରି ଅତ୍ୟଧିକ ଟିକସ ହାରରେ ଶ୍ରମୀକ କର୍ମଚାରୀମାନେ ଘୋର ଆର୍ଥିକ ଅନାଟନର ସମ୍ମୁଖୀନ ହେଉଥିବା ବେଳେ ୨୦୧ ମସିହାର ମଜୁରୀ ହାରରେ ସିଜିନାଲ୍ କର୍ମଚାରୀମାନଙ୍କ ମାସିକ ମଜୁରୀ ହାରରେ କ୍ଷତିଗ୍ରସ୍ତ ହୋଇଚାଲିଛନ୍ତି । ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହା ବିଳମ୍ବିତ ହୋଇ ଚାଲିଛି । ଏଣୁ ଅତିଶୀଘ୍ର ସର୍ବନିମ୍ନ ମଜୁରୀ ସଂଶୋଧନ କରି ସିଜିନାଲ୍ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି କରି ଅନ୍ୟାନ୍ୟ ଆନୁସଂଗୀକ କାର୍ଯ୍ୟର ମଜୁରୀ ବୃଦ୍ଧି କରିବାକୁ ଦାବୀ କରାଯାଇଛି ।
ଏହା ବ୍ୟତୀତ ରାଜ୍ୟ ସରକାର କରିଥିବା ଘୋଷଣାରେ କନ୍ୟା ବିବାହ ପରି ସାମାଜିକ ନିରାପତ୍ତା ପାଇଁ ଅର୍ଥ ମଞ୍ଜୁର କରିନାହାନ୍ତି । ବାରମ୍ବାର ଦାବୀ ସତ୍ୱେ ଏହାକୁ ଗୁରୁତ୍ୱ ଦିଆଯାଇ ନଥିବାରୁ ଉଦ୍ବେଗ୍ ପ୍ରକାଶ କରାଯାଇଛି । ରାଜ୍ୟ ସରକାର ଘୋଷଣା କରିଥିବା ଛାତ୍ରବୃତ୍ତି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମର ୬ମାସ ଅତିବାହିତ ହୋଇଥିଲେ ମଧ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚି ପାରିନାହିଁ । ଏଥିପାଇଁ ପୂର୍ବରୁ ଯେପରି ତତ୍ପରତା ପ୍ରକାଶ କରିବା କଥା କରାଗଲା ନାହିଁ । କେନ୍ଦୁପତ୍ର ତୋଳାଳି ଏବଂ ଶ୍ରମିକ ମାନଙ୍କ ପୁତ୍ର ଏବଂ କନ୍ୟାମାନଙ୍କର ଏଥିରେ ସରକାରଙ୍କ ଅନ୍ଲାଇନ୍ ପୋର୍ଟାଲ୍ ରେ ସ୍ୱତନ୍ତ୍ରତା ବା କୌଣସି ବ୍ୟବସ୍ଥା ନାହିଁ । ଏପରି ଅବସ୍ଥାରେ କେତେକ ଛାତ୍ରଛାତ୍ରୀ ଏହିପରି ଭାବରେ ଆବେଦନ କଲେ ତାର କୌଣସି ହିସାବ ପ୍ରକାଶିତ ହୋଇପାରିବ ନାହିଁ ଓ ଘୋଷଣା କାର୍ଯ୍ୟକାରୀ ହେବା ଏକ ପ୍ରହସନ ହେବ । ଏଣୁ ଶୀଘ୍ର ମାସକ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଛାତ୍ରବୃତ୍ତି ଯୋଜନା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିବାକୁ ପଦକ୍ଷେପ ନିଆଯାଉ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତ ଉପରୋକ୍ତ ଦାବି ଏବଂ ବିଶେଷ ଭାବରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆର୍ଥିକ ସହାୟତାକୁ ତୀବ୍ର ବିରୋଧ କରିବା ସଂଗେ ସଂଗେ ଏହା ସଂଶୋଧନ କରି ପୁନରାୟ ପୂର୍ବପରି ବୋନସ୍ ଘୋଷଣା କରିବାକୁ ଏବଂ ପ୍ରତିନିଧି ମୂଳକ କେ.ଏଲ୍.ଡ଼ି.ବି. ବୈଠକର ଆହ୍ୱାନ କରାଯାଇ ଏହାର ଆଲୋଚନା, ପର୍ଯ୍ୟାଲୋଚନା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉ ।
ଉପରୋକ୍ତ ଘୋଷଣାର ପ୍ରତିବାଦ ଦାବୀରେ ଆଗାମୀ ମଇ ମାସ ୩୧ତାରିଖ ରାଜ୍ୟର ସମସ୍ତ ଡ଼ିଭିଜନ୍ରେ ପ୍ରତିବାଦ ତଥା ଦାବୀ ଦିବସ ପାଳନକରି ହଜାର ହଜାର ତୋଳାଳି, ସିଜିନାଲ୍ କର୍ମଚାରୀ, ଶ୍ରମିକମାନେ ସାମିଲ୍ ହୋଇ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଡ଼ିଏଫ୍ଓ କେନ୍ଦୁପତ୍ର ମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେବାକୁ ନିଷ୍ପତ୍ତି ହୋଇଛି । ଏହାର ସଂଶୋଧନ ଯଥାଶୀଘ୍ର ନହେଲେ ପର୍ଯ୍ୟାୟକ୍ରମେ ଆନ୍ଦୋଳନମାନ ହେବ ବୋଲି ପ୍ରସ୍ତାବ କରାଯାଇଛି । ଗତକାଲିର କାର୍ଯ୍ୟକାରୀ କମିଟିରେ ଉପ-ସଭାପତି ଗୋକୁଳ ମେହେର୍, ରାଜ୍ୟ ସଂପାଦକ ସଂଜିତ୍ ମହାନ୍ତି, ମହମ୍ମଦ୍ ମୁର୍ତ୍ତୁଜା, ଶିବାନନ୍ଦ ପରିଛା, କ୍ଷେତ୍ର ମୋହନ ବାରିକ, ସଂଜୟ ଚୌଧୁରୀ, ପ୍ରଦୀପ ସାହୁ, କିଶୋର ପ୍ରଧାନ, ଭୁପେନ୍ଦ୍ର ନାୟକ, ରତ୍ନାକର ପ୍ରଧାନ, ଅଶୋକ ମାଝୀ, ଶ୍ରୀକର କଣ୍ଟା, ଭିକାରୀ ପ୍ରଧାନ, ପାହାଲାରା କେର୍କେଟା, ଧନମତି କିଶାନ୍, ଗୀତାଞ୍ଜଳି କିଶାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।