କିରଣ ରିଜିଜୁଙ୍କ ପରେ ଆଇନ ରାଷ୍ଟ୍ରମନ୍ତ୍ରୀ ବି ବଦଳିଲେ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ଅଦଳବଦଳ ହୋଇଛି । ପ୍ରଥମେ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କ ଠାରୁ ତାଙ୍କ ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଏବେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ମଧ୍ୟ ଅପସାରଣ କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ସେହିପରି ରିଜିଜୁଙ୍କୁ ପୃଥ୍ବୀ ବିଜ୍ଞାନ ମନ୍ତ୍ରୀ ନିଯୁକ୍ତ କରାଯାଇଥିବା ବେଳେ ସଂସଦୀୟ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲଙ୍କୁ ଆଇନ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଇ ଦୁଇ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁସାରେ, ବିଚାରପତି ନିଯୁକ୍ତିକୁ ନେଇ ବାରମ୍ବାର ସୁପ୍ରିମକୋର୍ଟଙ୍କ ସହ ବିବାଦରେ ଛନ୍ଦିହେବା କାରଣରୁ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

କିରଣ ରିଜିଜୁ ୨୦୨୧ ଜୁଲାଇ ୭ ତାରିଖରେ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ସେହି ସମୟରେ ସେ ମୋଦୀ କ୍ୟାବିନେଟରେ କ୍ରୀଡା ମନ୍ତ୍ରୀ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ। ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଇସ୍ତଫା ପରେ ତାଙ୍କୁ ଆଇନ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିଲା।

nis-ad
Leave A Reply

Your email address will not be published.