ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

କୋଲକାତା : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରାରେ ଥିବା ଏକ ବେଆଇନ ବାଣ କାରଖାନାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା ଚାଲୁଥିବା ଘର ଭୁଶୁଡ଼ି ପଡ଼ିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।
ପୁଲିସ ସୂଚନା ଅନୁସାରେ ବାଣ କାରଖାନା ଚାଲୁଥିବା ଏକ ଘର ଭିତରେ ଏହି ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ମାସରେ ଏହି କାରଖାନା ଉପରେ ଚଢ଼ାଉ କରାଯାଇ ଏହାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏଠାରେ ବାଣ ତିଆରି ହେଉଥିଲା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୃତବ୍ୟକ୍ତିଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସିଆଇଡି ଏହି ବିସ୍ଫୋରଣର ତଦନ୍ତ କରିବ । ସେ କହିଛନ୍ତି ଯେ କାରଖାନାଟି ଓଡ଼ିଶା ସୀମା ନିକଟରେ ଅବସ୍ଥିତ । ପୂର୍ବରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତା’ ବିରୋଧରେ ଚାର୍ଜସିଟ୍ ଥିଲା। ପରେ ତାକୁ ଜାମିନ ମିଳିଥିଲା। ସେ ପୁଣି ବେଆଇନ ଭାବେ ନିଜର ବ୍ୟବସାୟ ଆରମ୍ଭ କରିଥିଲା । ଆଜିର ବିସ୍ଫୋରଣ ପରେ ସେ ଓଡ଼ିଶା ଫେରାର ହୋଇଯାଇଛି ବୋଲି ମମତା ବାନାର୍ଜୀ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏହି ବିସ୍ଫୋରଣ ଘଟଣାର ଏନଆଇଏ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ।

nis-ad
Leave A Reply

Your email address will not be published.