ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ଲୋକଙ୍କ ପ୍ରବେଶ ନେଇ ଉତ୍ତେଜନା, ଏସଆଇଟି ଗଠନ ନିର୍ଦ୍ଦେଶ ଦେଲେ ଫଡନବୀସ

ନାସିକ : ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଥିବା ଜ୍ୟୋତିର୍ଲିଙ୍ଗ ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ଗୋଷ୍ଠୀ ପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀମାନେ ବିଫଳ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ଓ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୦ରୁ ୧୨ ଜଣ ମୁସଲମାନ ଯୁବକ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ଭିତରକୁ ଯିବାକୁ ମନା କରିବାରୁ ସେମାନେ ମନ୍ଦିରର ଦ୍ବିତୀୟ ଦ୍ୱାରର କାନ୍ଥ ଉପରକୁ ଚଢ଼ି ମନ୍ଦିର ଭିତରକୁ ଯାଇଥିଲେ । ସେମାନେ ତ୍ରିମ୍ବକେଶ୍ୱରର ବେଢାରେ ସବୁଜ କପଡ଼ା ଲଗାଇ ସେଥିରେ ଫୁଲ ଚାଦର ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ।
ଉପମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏତଲା ରୁଜୁ କରି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂରା ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରାଯିବା ସହ ଜଣେ ଆଇଜି ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ମୁସଲିମ ସଂପ୍ରଦାୟ ପକ୍ଷରୁ କୁହାଯାଇଛି ଯେ ବିଗତ ଅନେକ ଦଶନ୍ଧି ହେଲା ସେମାନେ ଏପରି କରିଆସୁଛନ୍ତି । ପରମ୍ପରା ଅନୁସାରେ ମନ୍ଦିର ବେଢାରେ ଥିବା ପାହାଚରେ ସବୁଜ ଚାଦର ବିଛାଇଥାନ୍ତି । ସାଂପ୍ରଦାୟିକ ସଦଭାବର ନିଦର୍ଶନସ୍ବରୂପ ଏପରି ପରମ୍ପରା ଚାଲିଆସୁଛି । କିନ୍ତୁ ଏବେ ଏହାକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଥିବାରୁ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

nis-ad
Leave A Reply

Your email address will not be published.