ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମେଧା ତାଲିକାକୁ ବୋର୍ଡର ନା, ମିଳିବ ମେରିଟ୍ ସାର୍ଟିଫିକେଟ୍

ଭୁବନେଶ୍ୱର : କୋଭିଡ୍‌ ସଂକ୍ରମଣ କମିବା ପରେ ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍‌ ସଂକ୍ରମଣ ନ ଥିଲେ ମଧ୍ୟ ପ୍ରତି ପରୀକ୍ଷାର୍ଥୀଙ୍କ ଲାଗି ପ୍ରତି ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇ ଦିଆଯାଇଥିଲା। ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପିଛା ଦୈନିକ ୫ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇଥିଲା। ଯେଉଁ ଅର୍ଥରେ ସାନିଟାଇଜର୍‌, ସାବୁନ୍‌, ମାସ୍କ ଡଷ୍ଟବିନ୍‌ ଆଦି କିଣାଯାଇଥିଲା। ଏ ବାବଦରେ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପରୀକ୍ଷାର୍ଥୀଙ୍କୁ ପାଣି ଯୋଗାଇବା ଲାଗି ଜଣଙ୍କ ପିଛା ଦୈନିକ ୩ ଟଙ୍କା ହିସାବରେ ଏବର୍ଷ ମୋଟ ୧.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୬ ଦେଶର ୨୮ ହଜାର ୪୭୧ ବିଦ୍ୟାଳୟର ମୋଟ ୩୮ ଲକ୍ଷ ୮୨ ହଜାର ୮୩୪ଜଣ ଛାତ୍ରଛାତ୍ରୀ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ୭୨୪୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ୯ ଲକ୍ଷ ୭ ହଜାର ୭୮୧ ରୁମ୍‌ରେ ପରୀକ୍ଷା ହୋଇଥିବା ବେଳେ ୧୮ ଲକ୍ଷ ୧୫ ହଜାର ୫୬୧ ପରୀକ୍ଷକ ରହିଥିଲେ।

ଚଳିତ ଶିକ୍ଷାବର୍ଷରେ ସିବିଏସ୍‌ଇ ପକ୍ଷରୁ କୌଣସି ମେଧା ତାଲିକା ପ୍ରକାଶ କରାଯାଇନାହିଁ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମେଧା ତାଲିକା ପ୍ରକାଶ ପାଇବା ଦ୍ବାରା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସ୍ବାସ୍ଥ୍ୟକର ପ୍ରତିଯୋଗିତା ସୃଷ୍ଟି ହେଉଛି। ତାହାକୁ ଏଡ଼ାଇବା ପାଇଁ ଗତବର୍ଷ ପରି ଏଥର ମଧ୍ୟ ମେଧା ତାଲିକା ପ୍ରକାଶ ପାଉନାହିଁ। ବୋର୍ଡ ପକ୍ଷରୁ ପ୍ରଥମ, ଦ୍ବିତୀୟ କିମ୍ବା ତୃତୀୟ ସ୍ଥାନ ନେଇ କୌଣସି ଘୋଷଣା ବି କରାଯାଇନାହିଁ। ଯେଉଁମାନେ ବିଷୟରେ ସର୍ବାଧିକ ନମ୍ବର ରଖିଛନ୍ତି, ସେମାନଙ୍କୁ ବୋର୍ଡ ପକ୍ଷରୁ ଏକ ମେରିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

nis-ad
Leave A Reply

Your email address will not be published.