ଘୂର୍ଣ୍ଣିବଳୟ ୮ରେ ଲଘୁଚାପରେ ପରିଣତ ହୋଇ ୯ରେ ନେବ ବାତ୍ୟାର ରୂପ: ଆଇଏମ୍‌ଡି

ଭୁବନେଶ୍ୱର/ ନୂଆଦିଲ୍ଲୀ: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୮ ତାରିଖରେ ଏହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବଂ ୯ ତାରିଖ ବେଳକୁ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି (ରବିବାର) ଅପରାହ୍ଣରେ ଜାରି କରାଯାଇଥିବା ସଦ୍ୟତମ ସତର୍କ ସୂଚନାରେ କୁହାଯାଇଛି।

ତେବେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ। ଏହି ଘୂର୍ଣ୍ଣିବଳୟ ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ନିୟମିତ ଭାବେ ଏହାର ତଦାରଖ କରାଯାଉଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ବର୍ଷା ସତର୍କ ସୂଚନା:

ଏହାର ପ୍ରଭାବରେ ୬ରୁ ୧୨ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୧୦ ଓ ୧୧ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ୮, ୯ ଓ ୧୨ ତାରିଖରେ ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

୭ ଓ ୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ମେ ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ପବନର ବେଗ ଧୀରେ ଧୀରେ ୫୦ରୁ ୬୦ କିଲୋମିଟରକୁ ବୃଦ୍ଧି ପାଇବ।
୧୦ ଓ ୧୧ ତାରିଖରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗରରେ ପବନର ବେଗ ଧୀରେ ଧୀରେ ୬୦ରୁ ୭୦ କିଲୋମିଟରକୁ ବୃଦ୍ଧି ପାଇବ।

ମେ’ ୭ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସମୁଦ୍ର ଅଶାନ୍ତ ରହିବ ଏବଂ ୯ ତାରିଖ ପରଠାରୁ ଏହା ଅତ୍ୟନ୍ତ ଅଶାନ୍ତ ରହିବ। ୧୦ ତାରିଖ ପରଠାରୁ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ଅତି ଅଶାନ୍ତରୁ ଅଧିକ ହେବାର ସମ୍ଭାବନା ରହିଛି।

ମତ୍ସ୍ୟଜୀବୀ, କ୍ଷୁଦ୍ର ଜାହାଜ, ଡଙ୍ଗା ଏବଂ ଟ୍ରଲରଗୁଡ଼ିକୁ ମେ’ ୭ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳକୁ ଏବଂ ମେ’ ୯ ତାରିଖରୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଥିବା ଲୋକଙ୍କୁ ମେ ୯ ତାରିଖ ପୂର୍ବରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

nis-ad
Leave A Reply

Your email address will not be published.