ସାମୁଦ୍ରିକ ବାତ୍ୟା ‘ମୋଚା’ ର ଗତିପଥ ଏବେ ବି ଅସ୍ପଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ତେବେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ।

ତଥାପି, ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା ବେଳେ ୭ ତାରିଖ ଠାରୁ ଆଣ୍ଡାମାନ ନିକୋବର ପାଇଁ ରହିଛି ସତର୍କ ସୂଚନା। କାରଣ ସେହି ସମୟରେ ପବନର ବେଗ ତୀବ୍ର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ସେହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିବା ସହ ସେହି ସମୟରେ ଆଣ୍ଡାମାନ ନିକୋବରକୁ କୌଣସି ପର୍ଯ୍ୟଟକ ବୁଲାବୁଲି ଉଦ୍ଦେଶ୍ୟରେ ନ ଯିବାକୁ ପରାମର୍ଶ ଦେଇଛି ବୋଲି କହିଛନ୍ତି ଶ୍ରୀ ବିଶ୍ୱାସ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବ। ୭ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗର ପାଣିପାଗବିଜ୍ଞାନୀ ଉମାଶଙ୍କର ଦାଶ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ ବାତ୍ୟା ୧୧ ତାରିଖ ଯାଏଁ ସମୁଦ୍ର ମଧ୍ୟରେ ରହିବ। ସମୁଦ୍ରରେ ଏହି ସମୟର ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି। ବାତ୍ୟା ୧୨ ତାରିଖ କିମ୍ବା ଏହା ପରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।

nis-ad
Leave A Reply

Your email address will not be published.