‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍। ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ଏହି ଚଳଚ୍ଚିତ୍ରର ୧୦ଟି ଦୃଶ୍ୟ କାଟି ଦେଇଥିବା ଜଣାପଡ଼ିଛି। ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦନଙ୍କ ସାକ୍ଷାତ୍‌କାର ଦୃଶ୍ୟ ସେଥିମଧ୍ୟରୁ ଅନ୍ୟତମ। ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ୧୦ଟି ଦୃଶ୍ୟ ମଧ୍ୟରୁ ଅନ୍ୟତମ। କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି। ଗୋଟିଏ ସଂଳାପରେ ଥିଲା ‘ଭାରତୀୟ କମ୍ୟୁନିଷ୍ଟମାନେ ହେଉଛନ୍ତି ସବୁଠୁ ବଡ଼ କପଟାଚାରୀ (ହିପୋକ୍ରାଇଟ୍‌)’ ଏବଂ ଏଥରୁ ଭାରତୀୟ ଶବ୍ଦଟିକୁ କାଟି ଦିଆଯାଇଛି।

ଏକ ଟିଭି ସାକ୍ଷାତ୍‌କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି। ସିବିଏଫ୍‌ସି ଏହି ସାକ୍ଷାତ୍‌କାରକୁ କାଟିଦେବାକୁ ଆଦେଶ ଦେଇଥିଲେ। ନଭେମ୍ବର ୨୦୨୨ରେ ଚଳଚ୍ଚିତ୍ରର ଟିଜର ପ୍ରକାଶ ପାଇବା ପରଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଚଳଚ୍ଚିତ୍ରରେ ଶାଳିନୀ ଉନ୍ନିକୃଷ୍ଣନ ଓରଫ ଫାତିମା ବା ହେଉଛନ୍ତି ଏକ ଚରିତ୍ର। ରାଜ୍ୟର ୩୨,୦୦୦ ମହିଳାଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍‌ରେ ନିଯୁକ୍ତି ଦିଆଯାଇଛି ଏବଂ ଧର୍ମାନ୍ତରିତ ଫାତିମା ତାଙ୍କ ଭିତରୁ ଜଣେ ବୋଲି ଚଳଚ୍ଚିତ୍ରରେ ଦର୍ଶାଯାଇଛି।

ବର୍ତ୍ତମାନ କେରଳ ସରକାର ଓ ବିରୋଧୀ ଦଳ ନେତାମାନେ ରାଜ୍ୟରେ ‘ଦ କେରଳ ଷ୍ଟୋରି’କୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି। ରାଜ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରୁ ବୋଲି ସିପିଏମ୍‌ ଓ କଂଗ୍ରେସ ଚାହୁନାହାନ୍ତି। କିନ୍ତୁ ଫିଲ୍ମ ପ୍ରଦର୍ଶକମାନେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନଙ୍କ ମତରେ ଲୋକମାନେ ଶେଷରେ ଓଟିଟି ପ୍ଲାଟଫର୍ମରେ ଏହି ଚଳଚ୍ଚିତ୍ରକୁ ଦେଖିବେ। ସୂଚନାଯୋଗ୍ୟ ‘ଦ କେରଳ ଷ୍ଟୋରି’ ହେଉଛି ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ଲିଖିତ ଓ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର, ଯେଉଁଥିରେ କେରଳରେ ନିଖୋଜ ମହିଳାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଲଭ୍ ଜିହାଦ ମାଧ୍ୟମରେ କେରଳରେ ହିନ୍ଦୁ ମହିଳାମାନଙ୍କୁ ଜବରଦସ୍ତ ଇସଲାମ ଧର୍ମକୁ ପରିବର୍ତ୍ତିତ କରି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ନିଯୁକ୍ତି ଦିଆଯାଉଥିବା ଦର୍ଶାଯାଇଛି।

nis-ad
Leave A Reply

Your email address will not be published.