୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହ ସମ୍ପୂର୍ଣ୍ଣ ବିଲୋପ କରିବାକୁ ସରକାର ସଂକଳ୍ପ ବଦ୍ଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରୁ ବାଲ୍ୟବିବାହ ରୋକିବା ପାଇଁ ପାରମ୍ପରିକ ଫୋରମ୍ ବୈଠକ ଉଦ୍ଦେଶ୍ୟରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆକ୍ସନ୍ଏଡ୍, ଓଡ଼ିଶା, ଭାରତ ସହଯୋଗରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଜାତି ସମାଜ ତଥା କୂଳ ସମାଜ ମୁଖ୍ୟ ମାନଙ୍କ ସହ ଏହା ଥିଲା ଜିଲ୍ଲା ପ୍ରଶାସନର ଏକ ସମନ୍ଵୟ ବୈଠକ। ଯଦିଓ ଅନ୍ୟ ଜିଲ୍ଲାମାନଙ୍କ ରେ ବାଲ୍ୟ ବିବାହ ଅଛି ତଥାପି କନ୍ଧମାଳ ଭଳି ଅନ୍ୟ କିଛି ଜିଲ୍ଲାରେ ଏହା ଅଧିକ ପରିମାଣରେ ଦେଖାଯାଉଛି । ରାଜ୍ୟରେ ବାଲ୍ୟ ବିବାହକୁ ୨୦୨୪ ମସିହା ସୁଦ୍ଧା ଅଧା ଓ ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିଲୋପ କରିବାକୁ ସରକାର ସଂକଳ୍ପ ବଦ୍ଧ । ତେବେ କେବଳ ଜିଲ୍ଲା ପ୍ରଶାସନ ଏହାକୁ ରୋକିପାରିବନି। ଏଥରେ ସମସ୍ତଙ୍କର ବିଶେଷକରି ଜାତି ସମାଜ ତଥା କୁଳସମାଜ ମୁଖିଆମାନଙ୍କ ର ସହଯୋଗ ନିହାତି ଆବଶ୍ୟକ। ବିଭିନ୍ନ ସମାଜର ମୁଖିଆମାନେ ଆଜିର ବୈଠକରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବାଲ୍ୟ ବିବାହର କାରଣ, ବାଲ୍ୟ ବିବାହ ହେଲେ କ’ଣ ଅସୁବିଧା ହେଉଛି ଏବଂ ସେମାନେ ଏ ଦିଗରେ କ’ଣ କରିପାରିବେ ତା’ ଉପରେ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାପଡ଼ିଛି ଯେ, ବିବାହବେଳେ ପୁଅର ବୟସ ୨୧ରୁ କମ୍ ଓ ଝିଅର ବୟସ ୧୮ରୁ କମ୍ କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ଯଦି ନିର୍ଦ୍ଧାରିତ ବୟସରୁ କମ୍ ବୟସରେ ବିବାହ କରେ ତେବେ ବାଲ୍ୟ ବିବାହ କୁହାଯିବ । ଆମ ଦେଶର ବାଲ୍ୟ ବିବାହ ନିଷେଧ ଆଇନ,୨୦୦୬ ଓ ଆମ ରାଜ୍ୟର ବାଲ୍ୟ ବିବାହ ନିଷେଧ ନିୟମାବଳୀ, ୨୦୦୯ ଅନୁଯାୟୀ ବାଲ୍ୟ ବିବାହ ଏକ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ । ବାଲ୍ୟ ବିବାହ କରାଉଥିବା, ଅଂଶ ଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନା କରାଯାଇପାରିବ । ବାଲ୍ୟ ବିବାହରେ ସାମିଲ ଯେ କୌଣସି ବ୍ୟକ୍ତି ଯେପରିକି ପିତା, ମାତା, ରୋଷେୟା, ବ୍ରାହ୍ମଣ, ମଧ୍ୟସ୍ଥି ସମସ୍ତଙ୍କୁ ଏହି ଆଇନ ପରିସର ଭିତରେ ଅପରାଧୁଭାବେ ଗିରଫ କରାଯାଇପାରିବ । ବାଲ୍ୟ ବିବାହ ପ୍ରଭାବିତ ଝିଅକୁ ମାଗଣା ଆଇନ ସହାୟତା ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସହଯୋଗ ଯୋଗାଇଦିଆଯିବ । ବିବାହ କରିଥିବା ନାବାଳକ କିମ୍ବା ନାବାଳିକା ଚାହିଁଲେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇ ପାରିବ। ବିବାହିତା ନାବାଳିକା ଭରଣ ପୋଷଣ ଓ ଘରେ ରହିବାର ଅଧିକାର ପ୍ରାପ୍ତ ହୋଇ ପାରିବ । କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଦେଖିଲେ ବା ବାଲ୍ୟ ବିବାହ ହେଉଥିବା ସମ୍ପର୍କରେ ଜଣାଇବାକୁ ହେଲେ ବ୍ଲକ ସ୍ତରରେ ବାଲ୍ୟ ବିବାହ ନିଷେଧ ଅଧିକାରୀ (ସିଡିପିଓ), ଅଙ୍ଗନୱାଡି, ଚାଇଲ୍ଡ ଲାଇନ୍-୧୦୯୮, ପୋଲିସ୍ ହେଲୁଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି,ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସହ ଯୋଗାଯୋଗ କରିପାରିବେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଆକ୍ସନ୍ ଏଡ୍ ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ନାୟକ ବୈଠକ ପରିଚାଳନା କରିଥିଲେ । ଏହି ବୈଠକରେ,କନ୍ଧମାଳ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଉଦନ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ନିରୁପମା ଦୋରା, ନବୀନ କିଶୋର ପଣ୍ଡା, କୁଇ ସମାଜ, କୁଟୀଆ ସମାଜ,ମୁସଲିମ୍ ସମାଜ, ଖ୍ରୀଷ୍ଟିଆନ୍ ସମାଜ, ରଙ୍ଗଣୀ ସମାଜ, ତେଲି ସମାଜ, ଗୁଡ଼ିଆ ସମାଜ, ବ୍ରାହ୍ମଣ ସମାଜର ମୁଖୁଆଙ୍କ ସମେତ ସଂପୃକ୍ତ ବିଭାଗୀୟ ପଦାଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ମୁଖ୍ୟ, ଜିଲ୍ଲାର ସମସ୍ତ ବ୍ଳକର ବିଭିନ୍ନ ଜାତି ସମାଜ ଓ କୂଳ ସମାଜର ମୁଖିଆ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.