୧୫ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଆଉ ୧୦ବର୍ଷ ପାଇଁ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ ରହିଛି କଟକ ରିଂ ରୋଡକୁ ( ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ) ୬ ଲେନ ବିଶିଷ୍ଟ କରାଯିବ।  ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି।

ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜରୀ ମିଳିଛି । ଏଥିସହ  ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଦିଆଯିବା ନେଇ ପ୍ରସ୍ତାବ ମଧ୍ୟ ଅନୁମୋଦନ  ହୋଇଛି। ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍ ମଞ୍ଜରୀ ଦେଇଛି ।

ସେହିପରି ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି।ସେହିପରି ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି।

ଓଡ଼ିଶାରେ ଓବିସି ତାଲିକାରେ ଥିବା ଜାତି ଓ ସମ୍ପ୍ରଦାୟଙ୍କୁ ରାଜ୍ୟ ସରକାର SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ। ଏ ନେଇ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ କରାଯାଇଛି। ଏ ନେଇ ଆସିବ ଅଧ୍ୟାଦେଶ। ଯାହାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶାର ୨୨ଟି ଜାତି ଓ ସମ୍ପ୍ରଦାୟକୁ କେନ୍ଦ୍ର ଓବିସି ତାଲିକା ଭୁକ୍ତ କରିଛି। କିନ୍ତୁ ସେହି ଜାତି ଓ ସମ୍ପ୍ରଦାୟ ଓଡ଼ିଶାର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ SEBCରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି।

ସେହି ଜାତି ଓ ସମ୍ପ୍ରଦାୟର ସାମାଜିକ ଓ ଶିକ୍ଷାଗତ ଅନଗ୍ରସର। ସେମାନଙ୍କୁ ବିକାଶ ସ୍ରୋତରେ ସାମିଲ କରିବାକୁ SEBCରେ ଅନ୍ତର୍ଭୁକ୍ତ କରିବା ଜରୁରୀ ହୋଇ ପଡିଛି। ତେଣୁ OSCBC ଅଧିନିୟମ ସଂଶୋଧନ କରାଯାଇଛି। ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପାଇଁ ଓବିସି ତାଲିକାଭୁକ୍ତ ଥିବା ଜାତିଗୁଡିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା କ୍ଷମତା ରାଜ୍ୟ ସରକାରଙ୍କୁ ମିଳିବ।

 ଆଉ ୧୦ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା। ପ୍ରାୟୋଜକତା ଚୁକ୍ତିକୁ ୨୦୩୩ ପର୍ଯ୍ୟନ୍ତ ସମ୍ପ୍ରସାରଣ ନିମନ୍ତେ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଓଡ଼ିଶା ସରକାର ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ସରକାରୀ ପ୍ରାୟୋଜକ ରହିଛନ୍ତି। ଭାରତୀୟ ହକିର ଅଭିବୃଦ୍ଧି ଓ ବିକାଶ ଦିଗରେ ଏହି ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଇଛି। ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମସି) ସରକାରଙ୍କ ଅନୁମୋଦନ କ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ହକି ଦଳ ଉଭୟ ପୁରୁଷ, ମହିଳା ଏବଂ ସିନିୟର, ଜୁନିୟର ଟିମ୍‌ର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି କରିଥିଲା।

ଚୁକ୍ତିକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଓଏମସି ଲିମିଟେଡ୍‌ ସରକାରଙ୍କ ଅନୁମୋଦନ ଲୋଡ଼ିଥିଲା। ଯାହାକୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଓଏମସି ବର୍ତ୍ତମାନ ଆଉ ୧୦ ବର୍ଷ ପାଇଁ ଅର୍ଥାତ ୨୦୨୩ ଫେବୃଆରୀ ୧ରୁ ୨୦୩୩ ଜାନୁଆରୀ ୧ ପର୍ଯ୍ୟନ୍ତ ପ୍ରାୟୋଜକ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରାଯିବ।

nis-ad
Leave A Reply

Your email address will not be published.