ନରୋଦା ଗାମ ଦଙ୍ଗା: ଦୋଷୀଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ଚ୍ୟାଲେଞ୍ଜ କରିବ ସୁପ୍ରିମ୍‌କୋର୍ଟଙ୍କ ନେତୃତ୍ୱାଧୀନ ଏସଆଇଟି

ନୂଆଦିଲ୍ଲୀ: ୨୦୦୨ ନରୋଦା ଗାମ ଦଙ୍ଗା ମାମଲାରେ ସମସ୍ତ ୬୭ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ।
ଅହମଦାବାଦର ନରୋଦା ଗାମ ଅଞ୍ଚଳରେ ଗୋଧ୍ରା ଘଟଣାର ପରବର୍ତ୍ତୀ ସମୟରେ ହୋଇଥିବା ଦଙ୍ଗାରେ ୧୧ ଜଣ ମୁସଲମାନଙ୍କ ମୃତ୍ୟୁ ହେବାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଅହମଦାବାଦସ୍ଥିତ ସ୍ୱତନ୍ତ୍ର ବିଚାରପତି ଏସ୍‌ କେ ବକ୍ସିଙ୍କ ଅଦାଲତ ଏହି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ଗୁଜରାଟର ପୂର୍ବତନ ମନ୍ତ୍ରୀ ମାୟା କୋଦନାନି ଏବଂ ବଜରଙ୍ଗ ଦଳର ପୂର୍ବତନ ନେତା ବାବୁ ବଜରଙ୍ଗୀଙ୍କ ସମେତ ସମସ୍ତ ୬୭ଜଣ ଅଭିଯୁକ୍ତଙ୍କୁ ଏପ୍ରିଲ ୨୦ରେ ଦୋଷମୁକ୍ତ କରିଛନ୍ତି।
ନରୋଦା ଗାମ ମାମଲାରେ ନିମ୍ନ ଅଦାଲତଙ୍କ ଆଦେଶ ବିରୋଧରେ ଏସଆଇଟି ଗୁଜରାଟ ହାଇକୋର୍ଟରେ ଆବେଦନ କରିବ ବୋଲି ଜାଣିବାକୁ ମିଳିଛି। ଯେହେତୁ ଏସଆଇଟି କୋର୍ଟଙ୍କ ରାୟର ନକଲକୁ ଅପେକ୍ଷା କରାଯାଇଛି, ତେଣୁ ରାୟର ଅଧ୍ୟୟନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏସ୍‌ଆଇଟି ସୂତ୍ରରୁ ପ୍ରକାଶ।
ନରୋଦା ଗାମରେ ସଂଘଟିତ ହୋଇଥିବା ଏହି ଗଣ ହତ୍ୟାକାଣ୍ଡ ୨୦୦୨ର ୯ଟି ପ୍ରମୁଖ ସାମ୍ପ୍ରଦାୟିକ ଦଙ୍ଗା ମାମଲା ମଧ୍ୟରୁ ଅନ୍ୟତମ ଥିଲା, ଯାହାର ତଦନ୍ତ ସୁପ୍ରିମ୍‌ କୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଦ୍ୱାରା କରାଯାଇଥିଲା ଏବଂ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି କରାଯାଇଥିଲା।
ଏସଆଇଟି ୨୦୦୮ରେ ଗୁଜରାଟ ପୁଲିସ ଠାରୁ ତଦନ୍ତ ଦାୟିତ୍ୱ ନେଇଥିଲା ଏବଂ ଏହି ମାମଲାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। କୋଦନାନି (୬୭) ଏବଂ ବଜରଙ୍ଗୀଙ୍କ ବ୍ୟତୀତ ପୂର୍ବତନ ଭିଏଚ୍‌ପି ନେତା ଜୟଦୀପ ପଟେଲଙ୍କୁ ମଧ୍ୟ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି।
ଏହି ମାମଲାରେ ସମୁଦାୟ ୮୬ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ସିଆରପିସି (କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଡ୍ୟୁର)ର ଧାରା ୧୬୯ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ପୀଡ଼ିତଙ୍କ ଓକିଲମାନେ ପୂର୍ବରୁ କହିଥିଲେ ଯେ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ।

nis-ad
Leave A Reply

Your email address will not be published.