ଦେଶବ୍ୟାପୀ ଇଦ୍‌-ଉଲ୍‌ –ଫିତର୍‌ ପାଳିତ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଷ୍ଠାର ସହ ରମ୍‌ଜାନ୍‌ ମାସ ପାଳିବା ପରେ ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ହର୍ଷୋଲ୍ଲାସରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ କରାଯାଉଛି।

ଏହି ଅବସରରେ ଦିଲ୍ଲୀର ବୃହତ୍ତମ ମସ୍‌ଜିଦ୍‌ ‘ଜାମା ମସ୍‌ଜିଦ୍‌’ ସମେତ ଦେଶର ଅଂସଖ୍ୟ ମସ୍‌ଜିଦ୍‌ରେ ନମାଜ ପାଠ ହୋଇଥିଲା। ଏହି ଅବସରରେ ମୁସଲ୍‌ମାନ୍‌ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଆଲିଙ୍ଗନପୂର୍ବକ ଅଭିନନ୍ଦନ ଜଣାଉଥିବାର ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି।

‘ଇଦ୍‌-ଉଲ୍‌-ଫିତର୍‌’ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରର ନେତାମ‌ାନେ ମୁସଲ୍‌ମାନ ସମ୍ପ୍ରଦାୟର ଜନତାଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି: ‘ଇଦ୍‌-ଉଲ୍‌-ଫିତର୍‌’ ଅବସରରେ ସମସ୍ତ ଦେଶବାସୀଙ୍କୁ ବିଶେଷ କରି, ମୁସଲ୍‌ମାନ ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରେମ ଓ କରୁଣାର ପର୍ବ ଇଦ୍‌ ଆମକୁ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ବାର୍ତ୍ତା ଦେଉଛି। ଆସନ୍ତୁ, ଏହି ପବିତ୍ର ଉତ୍ସବ ଅବସରରେ ସମାଜରେ ଭାଇଚାରା ଓ ପାରସ୍ପରିକ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ସମସ୍ତେ ସଙ୍କଳ୍ପ ନେବା।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍‌କରି ଲେଖିଛନ୍ତି: ‘ଇଦ୍‌-ଉଲ୍‌-ଫିତର୍‌’ ଅବସରରେ ଅଭିନନ୍ଦନ। ଆମ ସମାଜରେ ସହାବସ୍ଥାନ ଓ ସମବେଦନାର ଉଚ୍ଛ୍ବାସ ଆହୁରି ବୃଦ୍ଧି ପାଉ। ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି। ‘ଇଦ୍‌ ମୁବାରକ୍‌’।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଏହି ଅବସରରେ ଟୁଇଟ୍‌ କରି ଲେଖିଛନ୍ତି: ସମସ୍ତଙ୍କୁ ଇଦ୍‌ ମୁବାରକ୍‌। ଏହି ପବିତ୍ର ଉତ୍ସବ ସମସ୍ତଙ୍କ ପାଇଁ ଶାନ୍ତି, ସୁଖ ଓ ସମୃଦ୍ଧି ଆଣୁ।

ସେହିପରି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଦି ବିଶ୍ବ ନେତାମ‌ାନେ ବି ‘ଇଦ୍‌’ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଲେଖିଛନ୍ତି, ଇଂଲଣ୍ଡ ଓ ସମଗ୍ର ବିଶ୍ବର ମୁସଲ୍‌ମାନ ସମ୍ପ୍ରଦାୟଙ୍କୁ ଇଦ୍‌ ମୁବାରକ୍‌।

ଇଦ୍‌ ଅବସରରେ ତାଙ୍କର ଓ ଫାଷ୍ଟ୍‌ ଲେଡି ଜିଲ୍‌ ବାଇଡେନ୍‌ଙ୍କ ଅଭିନନ୍ଦନ ଜଣାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଟୁଇଟ୍‌ କରିଛନ୍ତି: ରମ୍‌ଜାନ୍‌ ମାସର ଅବସାନ ପରେ ଆମେରିକା ଓ ସମଗ୍ର ବିଶ୍ବରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ କରୁଥିବା ମୁସଲ୍‌ମାନଙ୍କୁ ଆନ୍ତରିକ ଅଭିନନ୍ଦନ।

‘ସଂଯୁକ୍ତ ଆରବ ଏମିରେଟ୍‌ସ୍‌’ର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକ୍‌ତୌମ୍‌ ମଧ୍ୟ ଟୁଇଟ୍‌ କରି ନିଜ ଦେଶ ତଥା ଦେଶବାସୀ ଓ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

nis-ad
Leave A Reply

Your email address will not be published.