ଭାରତ ଆସିବେ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ନୂଆଦିଲ୍ଲୀ : ଆସନ୍ତା ୪ ଓ ୫ ତାରିଖରେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସିବେ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପରେ କୌଣସି ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ ।
ଗତ ଡିସେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଭୁଟ୍ଟୋ ।
ଚଳିତ ବର୍ଷ ଏସସିଓର ଅଧ୍ୟକ୍ଷତା ଭାରତ ହାତରେ ରହିଛି। ୨୦୨୨ମସିହାରେ ଉଜବେକିସ୍ତାନର ସମରକାଣ୍ଡରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୨୦୧୭ରେ ଭାରତ ଏହି ସଂଗଠନର ପୂର୍ଣ୍ଣ ସଦସ୍ୟ ହୋଇଥିଲା। ସେବେଠାରୁ ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପାରସ୍ପରିକ ସ୍ୱାର୍ଥ ପାଇଁ ଭାରତ ଅନେକ ସଂକଳ୍ପ ଆଗତ କରିଛି ।

ଶେଷ ଥର ପାଇଁ ୨୦୧୧ରେ ପାକିସ୍ତାନର ଜଣେ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେ ହେଉଛନ୍ତି ହିନା ରବ୍ବାନି ଖାର। ସେତେବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ଥିଲା । ୨୦୧୧ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ ଏସଏମ କ୍ରିଷ୍ଣା ।

nis-ad
Leave A Reply

Your email address will not be published.