ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୯ ଓ ୨୦ ତାରିଖରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଗୁଡ଼ିକ ଛୁଟି ରହିବ। ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଗତ ୧୩ ତାରିଖ ଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଥିଲେ। ୧୭ରୁ ବର୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ଷା ନହେବା ଯୋଗୁଁ ତାପମାତ୍ରା ବଢ଼ିଚାଲିଛି। ଏହି କାରଣରୁ ସରକାର ପୁଣି ଥରେ ୨ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।