ସମ୍ବଲପୁର ଜିଲ୍ଲାରେ ଆଉ ଦୁଇଦିନ ଲାଗି ଇଣ୍ଟରନେଟ୍ ସେବା ବନ୍ଦ…

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଛି।  ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଗତକାଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ୧୭ ତାରିଖ ସକାଳ ୧୦ଟା ଯାଏ ଏହି କଟକଣା ବଳବତ୍ତର ରହିବ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ଅରାଜକତା ସୃଷ୍ଟି ହୋଇଛି। ବ୍ୟାପକ ଜଳାପୋଡ଼ା ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି।

nis-ad
Leave A Reply

Your email address will not be published.