ଜୟପୁର/ଭୁବନେଶ୍ବର: ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ବୁଧବାର ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଜୟପୁର ଉପରେ ପଡ଼ିଛି। ଜୟପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ୧୪୪ ଧାରା ଜାରି କରିଛି। ଜୟପୁର ଉପଖଣ୍ଡ ଅଞ୍ଚଳରେ ଆଜିଠାରୁ ଏପ୍ରିଲ ୨୦ ତାରିଖ ଯାଏ ପ୍ରତିଦିନ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ଏହି କଟକଣା ଜାରି ରହିବ। ଜୟପୁରବାସୀ ଏହି ସମୟ ମଧ୍ୟରେ ଦୈନିକ ୧୮ ଘଣ୍ଟା କଟକଣା ମଧ୍ୟରେ ରହିବେ। କଟକଣା ସମୟରେ ଗୋଟିଏ ସ୍ଥାନରେ ଦୁଇରୁ ଅଧିକ ଲୋକ ଏକତ୍ର ହେବାକୁ ବାରଣ କରାଯାଇଛି। ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଏହି ଆଦେଶନାମା ଗୁରୁବାର ଜାରି କରିଛନ୍ତି।
ସୂଚନା ଅନୁସାରେ ଜୟପୁରରେ ଏପ୍ରିଲ ୧୪ ତାରିଖ ଦିନ ‘ଓଡ଼ିଆ ନବବର୍ଷ’ ଅବସରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବାର ଥିଲା। ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି), ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଇଁ ବଜରଂଗ ଦଳର ଆୟୋଜନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ପାୱାରହାଉସ୍ସ୍ଥିତ ହନୁମାନ ମନ୍ଦିର ଠାରୁ ବାହାରି ସହରର ଥିବା ବିଭିନ୍ନ ଛକରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିବାର ଥିଲା। ଶୋଭାଯାତ୍ରାରେ ହଜାର ହଜାର ବାଇକ୍ ଆରୋହୀ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତେ। କିନ୍ତୁ ବୁଧବାର ସମ୍ବଲପୁରରେ ଶୋଭାଯାତ୍ରା ସମୟରେ ହୋଇଥିବା ଅଭାବନୀୟ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା। ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା।